jayashree

ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ଉପରେ ଆଲୋଚନା ଚକ୍ର

  • ଜନଜାତିଙ୍କ ଗର୍ବ ଓ ଜାତୀୟ ଚେତନାର ପ୍ରତୀକ ବିର୍ସା ମୁଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନଜାତିଙ୍କ ସାହସ, ବୀରତ୍ୱ ଓ ଆସ୍ଥାର ପ୍ରତୀକ ଭଗବାନ ବିର୍ସା ମୁଣ୍ଡା କେବଳ ଜନଜାତି ସମାଜର ନେତା ନଥିଲେ, ବରଂ ସମଗ୍ର ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ୨୫ ବର୍ଷର ଜୀବନରେ ଜଳ, ଜଙ୍ଗଲ ଓ ଜମିର ଅଧିକାର ସହ ନିଜ ସମାଜର ସ୍ୱାର୍ଥ ରକ୍ଷା ପାଇଁ ସେ ଅଦମ୍ୟ ସଂଗ୍ରାମ କରିଥିଲେ । ଇଂରେଜ ଉପନିବେଶବାଦ ଓ ସାହୁକାରଙ୍କ ଶୋଷଣ ବିରୋଧରେ ତାଙ୍କ ଆନ୍ଦୋଳନ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ‘ଆବୁଆ ଡିଶୁମ୍, ଆବୁଆ ରାଜ୍’ ଅର୍ଥାତ୍ ‘ଆମ ଦେଶ, ଆମ ଶାସନ’ର ନାରା ଦେଇ ବିର୍ସା ମୁଣ୍ଡା ଆରମ୍ଭ କରିଥିଲେ ଉଲଗୁଲାନ ଆନ୍ଦୋଳନ । ତାଙ୍କ ଜୀବନ, ସଂଗ୍ରାମ ଓ ଆଦର୍ଶ ଆଜି ମଧ୍ୟ ଜାତୀୟ ଚେତନା ଓ ସାମାଜିକ ନ୍ୟାୟର ପ୍ରେରଣା ହୋଇରହିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସ୍ଥିତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ବିର୍ସା ମୁଣ୍ଡା ଜନଜାତିଙ୍କ ଗର୍ବର ପ୍ରତୀକ ଓ ଜାତୀୟ ଚେତନା’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିର୍ସାମୁଣ୍ଡାଙ୍କ ଜୀବନୀ ଓ ସଂଗ୍ରାମର ପ୍ରାସଙ୍ଗିକତା ଉପରେ ଆଲୋକପାତ କରାଯାଇଥିଲା । ପ୍ରାଧ୍ୟାପକ ଡ. ଶିବପ୍ରସାଦ ନନ୍ଦ ଅତିଥି ଆଲୋଚକ ଭାବେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଦେଶପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ସେହି ସମୟର ଆର୍ଥିକ, ସାମାଜିକ ଓ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିଥିଲେ ।ଆଲୋଚନା ଚକ୍ରରେ ଇତିହାସ ବିଭାଗର ଛାତ୍ର ଗୋବିନ୍ଦ ବାରିକ, ଶଶାଙ୍କ ଶେଖର ଦାସ, ଆଶିଷ କୁମାର ବେହେରା ଏବଂ ଛାତ୍ରୀ ସାରିକା ଭୁଏ ବିର୍ସା ମୁଣ୍ଡାଙ୍କ ଜୀବନ ଓ ଆନ୍ଦୋଳନ ସମ୍ପର୍କିତ ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ ଡ. ରମଣୀ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଅର୍ପିତା ପରିଚ୍ଛା ଓ ଦେବାଶିଷ ବେରୁକ୍ ସଭା ପରିଚାଳନା କରିଥିଲେ । ଅଧ୍ୟାପକ ସୁବେର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.