ଆଜାଦହିନ୍ଦ୍ ସରକାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ବର୍ଷ ଓ ଆଜାଦହିନ୍ଦ୍ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଆଲୋଚନା ସଭା ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ ପାଳନ କମିଟି ତରଫରୁ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋକ ବେହେରାଙ୍କ ଆବାହକତ୍ୱ ଓ ଧୋବେଇ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଏଆଇଏମ୍‌ଏସ୍‌ଏସ୍‌ର ସାଧାରଣ ସଂପାଦିକା ଛବି ମହାନ୍ତି ମୁଖ୍ୟ ଅତିଥି, ପ୍ରଧ୍ୟାପକ ଡ. ସଂଜୟ ହାତୀ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ହୋମିଓପାଥିକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ରତ୍ନାକର ପଣ୍ଡା, ଗଗନ ବିହାରୀ ଧଳ, ଶିକ୍ଷାବିତ୍ ସନ୍ତୋଷ କୁମାର ନାୟକ ଓ ରମାକାନ୍ତ ମଲ୍ଲିକ, ପଶୁପତିନାଥ ଚାଟାର୍ଜୀ ପ୍ରମୁଖ ଯୋଗଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଅତିଥିମାନେ କହିଲେ ଯେ ତତ୍କାଳୀନ ସମୟରେ ସୁବାଷ ସମ୍ଭାବନାର ସୂର୍ଯ୍ୟ ଥିଲେ । ସୁବାଷ ବୋଷଙ୍କ ଦକ୍ଷତା କଳିବାର କ୍ଷମତା ତତ୍କାଳୀନ ନେତାମାନଙ୍କର ନଥିଲା । ସେ ଦେଖିଥିବା ସ୍ୱାଧୀନତା ଆଜି ବି ଆମେ ପାଇପାରିନାହୁଁ । ତାଙ୍କର ଦର୍ଶନ ଏବଂ କାର୍ଯ୍ୟଶୈଳୀ ଅବର୍ଣ୍ଣନୀୟ ଓ ଅନୁକରଣୀୟ ବୋଲି କହିଥିଲେ । ସେ ଦେଶରେ ଅର୍ଥନୈତିକ ସ୍ଵାଧୀନତାର ଆବଶ୍ୟକତାକୁ ଗୁରୁତ୍ୱର ସହ ବିଚାର କରୁଥିଲେ । ରାଜ୍ୟ ତଥା ଦେଶର ସୁରକ୍ଷା, ଗଣତାନ୍ତ୍ରିକ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଦେଶର ଅଖଣ୍ଡତା ଓ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ଆଜାଦହିନ୍ଦ୍ ବାହିନୀ କାର୍ଯ୍ୟକରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ତାଙ୍କର ଦୂରଦୃଷ୍ଟି ଯୋଗୁଁ ସେ ୯ଟି ଦେଶ ସହ ସଂପର୍କ ସ୍ଥାପନ କରି ଭାରତରେ ସ୍ଵାଧୀନତା ଆଣିବା ପାଇଁ ଚେଷ୍ଟିତ ଥିଲେ । ଅସ୍ପୃଶ୍ୟତା ଓ ନିଶା ନିବାରଣ ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି ଅତିଥିମାନେ ମତ ରଖିଥିଲେ । ପ୍ରାରମ୍ଭରେ ଶରତ ଚନ୍ଦ୍ର ପଣ୍ଡା ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଏହି ଆଲୋଚନାଚକ୍ରରେ ସହରର ବହୁ ଗୁଣୀ ଜ୍ଞାନୀ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 17 =