
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ପକ୍ଷରୁ ବିର୍ସା ଛକ ଠାରେ ନାକାବନ୍ଦୀ କରି ଏକ ବ୍ରେଜା କାର୍ (ପଞ୍ଜିକରଣ ନଂ ଓଡି-୧୪ଏଏ-୦୨୭୯)କୁ ଅଟକାଇଥିଲା । କାର ମଧ୍ୟରୁ ମହମ୍ମଦ ସଦ୍ଦାମ ଏବଂ ତ୍ରିବିକ୍ରମ ସୁନା ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ତଲାସୀ ସମୟରେ, ସେମାନଙ୍କ ନିକଟରୁ ଦୁଇଟି ଜୀବନ୍ତ ଗୁଳି ସହ ଦୁଇଟି ଲୋଡେଡ୍ ପିସ୍ତଲ, ନଗଦ ୧୧,୬୩,୦୦୦ ଟଙ୍କା ଏବଂ ନିଷିଦ୍ଧ କଫ୍ ସିରପ୍ ଜବତ କରାଯାଇଛି । ଏଥିସହିତ କ୍ରୟ ଏବଂ ବିକ୍ରୟ ସହ ଜଡିତ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି । ସେମାନଙ୍କୁ ନିରନ୍ତର ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ବିଭିନ୍ନ ପରିବହନ ସଂସ୍ଥା ମାଧ୍ୟମରେ ରାଜ୍ୟ ବାହାରୁ ନିଷିଦ୍ଧ କଫ ସିରପ୍ ସଂଗ୍ରହ କରିବାରେ ସମ୍ପୃକ୍ତ ଥିଲେ । ବରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଅଞ୍ଚଳରେ କଫ୍ ସିରପ୍ ଯୋଗାଣ କରୁଥିଲେ । ଗତ ଚାରି ମାସ ଧରି, ରାକେଟର ମୁଖ୍ୟ ରାଜଗାଙ୍ଗପୁରର ମହମ୍ମଦ ସଦ୍ଦାମଙ୍କ ଉତ୍ସରୁ ୫୦ ହଜାରରୁ ଅଧିକ ନିଷିଦ୍ଧ କଫ ସିରପ ବୋତଲ ସଂଗ୍ରହ କରିବା ପରେ, ଜାଲ କାଗଜପତ୍ର ବ୍ୟବହାର କରି ସେସବୁକୁ ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ବଣ୍ଟନ କରିଥିଲେ । ଅବୈଧ କଫ ସିରପ ବ୍ୟବସାୟରୁ ମିଳୁଥିବା ଅର୍ଥରେ ବିହାରରୁ ବନ୍ଧୁକ ସଂଗ୍ରହ ପାଇଁ ବ୍ୟବହୃତ ହୋଇଥିଲା ବୋଲି ଅଭିଯୋଗ ହୋଇଛି । କଫ୍ ସିରପ୍ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ସଂଲଗ୍ନ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଇଥିଲା । ଯାହାଦ୍ୱାରା ଅଭିଯୁକ୍ତମାନେ ଏକ ସଂଗଠିତ ଆନ୍ତଃରାଜ୍ୟ ନିଷିଦ୍ଧ କଫ୍ ସିରପ ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଚାଲାଣ ନେଟୱାର୍କରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ରାକେଟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ସହିତ ଗିରଫ କରିବା, ଆର୍ଥିକ କାରବାର ଠାବ କରିବା ଏବଂ ଅବୈଧ ଅସ୍ତ୍ରଶସ୍ତ୍ରର ଉତ୍ସର ସ୍ଥଳ ସ୍ଥାପନ କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀଙ୍କ ସମେତ ଜୋନ୍-୨ ଡିଏସପି ଜିତେନ୍ଦ୍ର ନାଥ ସେଟ୍ଟୀ ଏବଂ ପ୍ଲାଣ୍ଟସାଇଟ୍ ଥାନାର ଭାରପ୍ରାପ୍ତ ଅଧିକାରୀ ବିଭତ୍ସ ପ୍ରଧାନ । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମୁସଲିମପଡାର ସ୍ୱର୍ଗତଃ ସହାଦତ ହୁସେନଙ୍କ ପୁଅ ମହମ୍ମଦ ସଦ୍ଦାମ (୩୪) ଏବଂ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ତିୱାର ପଡାର ଜଗନ୍ନାଥ ମନ୍ଦିର ନିକଟସ୍ଥ ଚତୁର୍ଭୁଜା ସୁନାଙ୍କ ପୁଅ ତ୍ରିବିକ୍ରମ ସୁନା (୨୮) । ଅଭିଯୁକ୍ତଙ୍କ ନିକଟରୁ ୦୨ଟି ଦେଶୀ ପିସ୍ତଲ, ୦୨ଟି ଜୀବନ୍ତ ଗୁଳି, ଗୋଟିଏ ନୀଳ ରଙ୍ଗର ବ୍ୟାଗରେ ଥିବା ୧୧,୬୩,୦୦୦ ଟଙ୍କା (ଏଗାର ଲକ୍ଷ ତେଷଠି ହଜାର ଟଙ୍କା ମାତ୍ର), ୦୩ଟି ମୋବାଇଲ୍ ଫୋନ୍, ଗୋଟିଏ ମାରୁତି ବ୍ରେଜା କାର ଯାହାର ପଞ୍ଜିକରଣ ନମ୍ବର ଓଡି ୧୪ଏଏ- ୦୨୭୯ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ଅଭିଯୁକ୍ତ ମହମ୍ମଦ ସଦ୍ଦାମଙ୍କ ନାମରେ ପୂର୍ବରୁ ରାଜଗାଙ୍ଗପୁର ଥାନାରେ ଏକ ମାମଲା ରହିଛି । ସେହିପରି ଅଭିଯୁକ୍ତ ତ୍ରିବିକ୍ରମ ସୁନାଙ୍କ ନାମରେ ପୂର୍ବରୁ ବୁର୍ଲା ଥାନାରେ ଏକ ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ଆର୍ମସ ଆକ୍ଟ ୨୫(୧-ବି)(ଏ)/୨୫/୮)ରେ କେସ୍ ନଂ-୧୨୧୬, ତାରିଖ ୨୦.୧୧.୨୦୨୬ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।