mahavir

ହରିହରସାଗର ସୁରକ୍ଷା ବଜାରରେ ବସିଲା ଖୋଲା ଆଲୋଚନା ସଭା

ମ. ରାମପୁର : (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଐତିହାସିକ ଜଳାଶୟ ହରିହର ସାଗର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ମ.ରାମପୁରର ଐତିହାସିକ ଜଳାଶୟ ହରିହର ସାଗର ସୁରକ୍ଷା ପାଇଁ ଆଜି ବଜାର ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଶାନ୍ତ ସାମନ୍ତରା, ପପୁ ଅଗ୍ରୱାଲ, ଚିରାଗ ସିଂହଦେଓ, ସତ୍ୟ ନାରାୟଣ ସାହୁ, ରଶ୍ମି ରଞ୍ଜନ ପ୍ରହରାଜ, ଉଦ୍ଧବ ପଣ୍ଡାଙ୍କ ନେତୃତ୍ୱରେ ଏହି ସଭାରେ ମ. ରାମପୁର ବିଡ଼ିଓ ଶରତ କୁମାର ସେଠୀ ଉପସ୍ଥିତ ରହି କିଭଳି ସୁରକ୍ଷା ହୋଇପାରିବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ବ୍ରାହ୍ମଣ ସମାଜର ସଭାପତି ଶିବ ପ୍ରସାଦ ଶତପଥୀ, ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ବାଗ, ସାମ୍ବାଦିକ ନିରଞ୍ଜନ ମହାରଣା, ଅମୀୟ ଶତପଥୀ, ବ୍ୟବସାୟୀ ଭାରତ ଭୂଷଣ ଜୈନ, କଂଗ୍ରେସ ଦଳ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ, ନାଏବ ସରପଞ୍ଚ ପ୍ରଶାନ୍ତ ମହାରଣା, ପ୍ରଦୀପ ସିଂହ, ଜୟନ୍ତ କୁମାର ନାୟକ, ସଂଯୁକ୍ତା ପୁରୋହିତ, ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଆଲୋଚନା ସହିତ ଆଗାମୀ କାର୍ଯ୍ୟପନ୍ଥା ନିଦ୍‌ର୍ଦ୍ଧାରଣ କରିଥିଲେ । ଏନେଇ ଆଜି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନା ଥାଉ କି, ଶହେ ଏକର ବିଶିଷ୍ଠ ଏହି ସାଗରକୁ ତତ୍କାଳୀନ ମହାରାଜ ହରିହର ସିଂହଦେଓ ଆଜକୁ ପ୍ରାୟ ଏକ ଶହ ବର୍ଷ ପୂର୍ବେ ଅଂଚଳବାସୀଙ୍କ ବ୍ୟବହାର ପାଇଁ ଖନନ କରିଥିଲେ । ମ. ରାମପୁର ସହରର ଜୀବନ ଜୀବିକା ଏହି ହରିହର ସାଗର । ଏକଦା ପ୍ରାୟ ତିନି ଦଶନ୍ଧି ପୂର୍ବ ସମୟ ଯାଏଁ ମ.ରାମପୁରର ଜନସାଧାରଣ କେବଳ ଏହି ସାଗରରେ ସ୍ନାନ ନୁହେଁ ଏହି ସାଗରର ପାଣିକୁ ରୋଷେଇ କରିବା, ପିଇବା ଆଦି ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଏହି ସାଗର କ୍ରମଶଃ ସହରର ବିଭିନ୍ନ ହୋଟେଲର ମଇଳା ପାଣି, ସାଗର ଉପକଣ୍ଠସ୍ଥ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପାଇଖାନା ପାଣି, ଉକ୍ତ ସାଗରର ନିଷ୍କାସନ କରିବା ଭଳି ଦୁଷ୍କର୍ମରେ ଲିପ୍ତ ରହି ଏହି ଭଳି ଏକ ସାଗରକୁ ଆବର୍ଜନା କୁଣ୍ଡରେ ପରିଣତ କରିସାରିଲେଣି ।

Leave A Reply

Your email address will not be published.