om academy

ସୁକତେଲ ପ୍ରକଳ୍ପ ବିସ୍ତାପିତଙ୍କ ସମସ୍ୟାକୁ ନେଇ ନରସିଂହଙ୍କ ଆଲୋଚନା

jsm

ବିସ୍ଥାପିତଙ୍କ କ୍ଷତିପୁରଣ ଦେବାରେ ତତ୍ପରତା ପ୍ରକାଶ କରନ୍ତୁ ପ୍ରଶାସନ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ହୋଇସାରିଛି । ଏବେ ବି ଅନେକ ବିସ୍ଥାପିତଙ୍କୁ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ପୁରଣ ହୋଇପାରିନାହିଁ । ତେଣୁ ଏ ଦିଗରେ ଅଧିକାରୀମାନେ ସମ୍ବେଦନଶୀଳ ହୁଅନ୍ତୁ । ସାମୁହିକ ସ୍ୱାର୍ଥ ପାଇଁ ଭିଟାମାଟି ସହ ଅନେକ କିଛି ତ୍ୟାଗ କରିଥିବା ଲୋୟର ସୁକତେଲ ବିସ୍ଥାପିତଙ୍କୁ ତାଙ୍କ ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରିବାରେ ପ୍ରଶାସନ ତତ୍ପରତାର ସହ କାମ କରନ୍ତୁ ଯେମିତିକି ଲୋୟର ସୁକତେଲ ପାଣିରେ ଅଂଚଳର ଚାଷୀ ବିକାଶ ହେବା ସହ ବିସ୍ଥାପିତମାନେ ମଧ୍ୟ ହସ ଖୁସିରେ ଜୀବନ ଅତିବାହିତ କରିପାରିବେ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସଠାରେ ଜଳସେଚନ ପ୍ରକଳ୍ପର ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ କରିଥିବା ଆଲୋଚନା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏହି ଆଲୋଚନା ବେଳେ ପ୍ରକଳ୍ପ ବିସ୍ଥାପିତଙ୍କ ଥାଇଥାନ ଓ କ୍ଷତିପୂରଣ ପାଇବାରେ ଥିବା ବିଭିନ୍ନ ବିସଙ୍ଗତି ଉପରେ ଆଲୋଚନା ହୋଇଥିଲା । ଅଧିକାରୀମାନଙ୍କ ଦ୍ୱାରା ସମାଧାନର ପ୍ରତିଶୃତି ପାଇଥିଲେ ହେଁ ଏ ପର୍ଯ୍ୟନ୍ତ କିଛି ବିସ୍ଥାପିତଙ୍କୁ ଘର ପାଇଁ ଉପଯୁକ୍ତ ଜମି ଦିଆଯାଇ ନ ଥିବାରୁ ଏ ଦିଗରେ ବିଭାଗୀୟ ଅଧିକାରୀ ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଠିକ୍‌ ସେହିପରି କ୍ଷତିପୁରଣ ରାଶିରେ ମଧ୍ୟ ଅନେକ ଲୋକ ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ବୋଲି ବିଧାୟକଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି । ସେ ସବୁ ଦରଖାସ୍ତ ଉପରେ ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ କହିଥିଲେ । ଆଲୋଚନା ସମୟରେ ବାକି ରହିଯାଇଥିବା ଭୂମିହୀନ, ବାସହୀନ ଲୋକଙ୍କ ପାଇଁ ଦିଆଯାଉଥିବା ୪ ଡିସିମିଲ ଜମିକୁ ଯେତେ ଶୀଘ୍ର ହେବ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ଲୋକଙ୍କୁ ଶୀଘ୍ର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ମୁତାବକ ଝାଙ୍କରପାଲି ଥଇଥାନ କଲୋନୀ ଏବଂ ବିଜାପାଟି ଥଇଥାନ କଲୋନୀଠାରେ ଏ ପର୍ଯ୍ୟନ୍ତ ଏକ ପୋଖରୀ ଖନନ ହୋଇନଥିବାରୁ ବିଧାୟକ ଶ୍ରୀ ମିଶ୍ର ଏହା ଶୀଘ୍ର ଆରମ୍ଭ କରିବା ପାଇଁ କହିଥିଲେ । ବିଶେଷ କରି ଥଇଥାନ କଲୋନି ତଥା ନିଜେ ନିଜେ ଥଇଥାନ ହୋଇଥିବା ଜାଗାମାନଙ୍କରେ ବିସ୍ଥାପିତମାନଙ୍କ ବିଜୁଳି ସମସ୍ୟା, ପିଇବା ପାଣି ଇତ୍ୟାଦି ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ଏ ସବୁ ମୌଳିକ ଅଧିକାର ଉପରେ ଯେତେ ଶୀଘ୍ର ହେବ ଅଧିକାରୀ ପଦକ୍ଷେପ ନିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ତା’ସହ ଥଇଥାନ କଲୋନୀମାନଙ୍କରେ ନିର୍ମାଣାଧିନ ରାସ୍ତା, କଲଭର୍ଟ, ଡ୍ରେନର କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ପାଇଁ ଆଲୋଚନା ହୋଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ଛୋଟ ଛୋଟ ପିଲାମାନେ ଗୋଟିଏ କିଲୋମିଟରରୁ ଅଧିକ ଦୂରତାରେ ଥିବା ସ୍କୁଲକୁ ପାଠ ପଢିବା ପାଇଁ ଯିବାକଥା ନୁହେଁ । ତେଣୁ ଏହି ପିଲାମାନଙ୍କ ପାଇଁ ଯେତେ ଶୀଘ୍ର ହେବ ଥଇଥାନ କଲୋନୀରେ ସ୍କୁଲ ନିର୍ମାଣ ପାଇଁ ଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଥିଲେ । ସଦେଇପାଲି ପାଖରେ ଥିବା ଥଇଥାନ କଲୋନୀର ଶିବ ମନ୍ଦିରରେ ଏକ ବାଡ ନିର୍ମାଣ ସହ ସେଠାରେ ଥିବା କଲ୍ୟାଣ ମଣ୍ଡପରେ ପିଇବା ପାଣି, ବିଜୁଳି ବ୍ୟବସ୍ଥା ତଥା ଏକ ସିମେଣ୍ଟ ମଂଚ ଓ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏ ସବୁର ଆଲୋଚନା ସମୟରେ ବିଭାଗ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତ, ଜୋନ ଅଫିସର ଶଙ୍କର୍ଷଣ ପ୍ରଧାନ ଓ ବାଗୁରବେଡା ସରପଂଚ ସଂଜୟ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fourteen − 2 =