om academy

ମାକ୍ସ ପିନ୍ଧି ଅକ୍ଷୀ ମୁଠି ଛୁଇଁଲେ ଚାଷୀ : ପରମ୍ପରା ସୁରକ୍ଷା ପାଇଁ ଆଗେଇ ଆସିଲେ ସୌମେନ୍ଦ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ଫିକା ପଡିଛି ଚାଷ ଅନୁକୂଳର ଆରମ୍ଭ ପର୍ବ ଅକ୍ଷୟ ତୃତୀୟା । ସରକାରୀ ଭାବେ ଜିଲା ପ୍ରଶାସନ ଦ୍ୱାରା ଏହାକୁ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ଏହାକୁ ଚାଷୀମାନେ ପାଳନ କରିଛନ୍ତି । ଚାଷୀ ନେତା ତଥା ଜିଲା କୃଷକ ମହାସଂଘର ସଭାପତି ଡା.ସୁଧୀର ପରିଚ୍ଛା ପ୍ରତିବର୍ଷ ସଦର ବ୍ଲକ ଅନ୍ତର୍ଗତ କୌଣସି ନା କୌଣସି ଗାଁରେ ଚାଷୀର ଏହି ପର୍ବକୁ ଆୟୋଜନ କରିଥାନ୍ତି । ଗତ ବର୍ଷ କରୋନାରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟଗତ କାରଣାରୁ ଏଥର ସେ ଆୟୋଜନ କରିପାରି ନଥିଲେ । କିନ୍ତୁ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ବଞ୍ଚାଇ ରଖିବାକୁ ଯାଇ ତାଙ୍କ ଭାଇ ସୌମେନ୍ଦ୍ର ପରିଚ୍ଛା ଓରଫ ଚଗଲା ଏଥର ଅଂଟା ଭିଡିଛନ୍ତି । ନିଜ ଗାଁ ମାଟି ସଦର ବ୍ଲକ ଅନ୍ତର୍ଗତ ଜନକପୁର ଠାରେ ସେ ଅକ୍ଷୟ ତୃତୀୟା ଆୟୋଜନ କରିଥିଲେ । କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ସହ ମାକ୍ସ ପରିଧାନ କରି ଚାଷ ଜମିରେ ହଲ ଲଙ୍ଗଳ କରି ଧାନ ବୁଣିଥିଲେ ।

ଗାଁରେ ବିଧି ଓ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଅକ୍ଷୟ ତୃତୀୟ ପାଳନ କରାଯାଇଥିଲେ ହେଁ ଚାଷୀମାନଙ୍କ ମନରେ ସେତେଟା ଉଲ୍ଲାସ ଦେଖିବାକୁ ମିଳିନଥିଲା । ସକାଳୁ ସକାଳୁ ଗାଁର କିଛି ଚାଷୀଙ୍କୁ ନେଇ ଚାଷୀମାନଙ୍କ ପର୍ବକୁ ପାଳନ କରାଯାଇଥିଲା । ପ୍ରଥମେ ଗ୍ରାମ୍ୟ ଦେବୀଙ୍କ ଠାରେ ଭୋଗ ଲାଗି ହେବା ପରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଗାଁର ଚାଷୀ ପୀତାମ୍ବର ବିଶି, ନୀଳକଣ୍ଠ ଭୋଇ ପଶ୍ଚିମ ଓଡିଶାର ପ୍ରସିଦ୍ଧ ରାମ ଯେ ଲଇଖନ ହୋ, ଦୁଇ ଭାଇ…ହଲିଆ ଗୀତ ଗାଇଥିବା ବେଳେ ଗ୍ରାମ୍ୟଦେବୀଙ୍କୁ ପ୍ରଥମେ ଧାନ ବୁଣିବା ପାଇଁ ଆଦେଶ ମଗାଯାଇଥିଲା । ଏହା ପରେ ଘରୁ ଧାନ ବାହାର କରାଯିବାର ବିଧି ଶେଷ ହେଲା ପରେ ଚାଷୀମାନେ ହଲ ଲଙ୍ଗଳ ଧରି ଚାଷ ଜମି ଅଭିମୁଖେ ଯାଇଥିଲେ । କରୋନା ଯୋଗୁଁ ଚାଷୀମାନେ ନିଜ ନିଜ ଭିତରେ ସଚେତନ ହୋଇ ସାମାଜିକ ଦୂରତ୍ୱ, ମାକ୍ସ ପିନ୍ଧି ଅକ୍ଷୀ ମୁଠି ଧରିଥିଲେ । ଗାଁର ଚାଷୀ ବେଣୁଧର ବିଶି, ବିନୋଦ କୁମାର ରାଉତ, ପଂଚନନ ବିଶି, ବିଷ୍ଣୁ ବିଶି, ବସନ୍ତ ରାଉତ, ହେମନ୍ତ ରାଉତ, ନେପାଳ ବିଶି, ବୀଣା ରାଉତ, ଲଙ୍ଗରାଜ ରାଉତ ହଲ ଧରିଥିଲେ । ଆଗାମୀ ଦିନରେ ଚାଷ ଠିକରେ ବର୍ଷା ହେବା ସହ ପାଣିପାଗ ଠିକରେ ରହୁ ବୋଲି ଗୀତ ବୋଲିବା ସହ ଇନ୍ଦ୍ରଦେବତାଙ୍କୁ ବର୍ଷା ଜଳ ଭିକ୍ଷା କରିଥିଲେ । ଚାଷୀମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କରୋନା ସମୟରେ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗେଇ ଦେବାକୁ ଶ୍ରୀ ପରିଚ୍ଛା ଦାବୀ କରିଛନ୍ତି ।

Leave A Reply

Your email address will not be published.