ବିଦ୍ୟୁତ ବିଭାଗର ଅଜବ ନୀତି : ୧୨ ଦିନ ହେଲା ଅନ୍ଧାରରେ ରହୁଛନ୍ତି ୩୫ ପରିବାର ସହ ସ୍କୁଲ୍, ପଞ୍ଚାୟତ ଅଫିସ୍, ଆୟୁର୍ବେଦିକ ଚିକିତ୍ସାଳୟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ଗାଁ ତଥା ତୁଷୁରା ସେକ୍‌ସନ୍‌ରୁ ସଂଯୋଗ ହୋଇଥିବା ଗୌଡ଼ଗୋଠ ଗାଁର ୩୫ଟି ପରିବାରକୁ ଗତ ଦଶ ଦିନ ହେଲା ଅନ୍ଧାରେ ରଖାଯାଇଥିବା ଅଭିଯୋଗ ହୋଇଛି । କେବଳ ବିଦ୍ୟୁତ ବିଭାଗର କିଛି କର୍ମଚାରୀଙ୍କ ଯୋଗୁଁ ଏହି ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଗୌଡ଼ଗୋଠ ବସ‌୍‌ଷ୍ଟ‌େସନ ନିକଟରେ ଦୁଇଟି ଟ୍ରାନ୍ସଫର୍‌ମର୍‌ ବସିଥିଲା । ସେଥିରୁ ଗୋଟିଏ ଟ୍ରାନ୍ସଫର୍‌ମର୍‌ର ଯାନ୍ତ୍ରିକ ତୃଟି ଯୋଗୁଁ ସଟ୍‌ ହୋଇଥିଲା । ଯାହା ଫଳରେ ସେହି ଟ୍ରାନ୍ସଫରମର ମୋଟ ୩ଟି ଫେଜ୍‌ରୁ ଗୋଟିଏ ଫେଜ୍‌ ନଷ୍ଟ ହୋଇଥିଲା । ଏହା ଦ୍ୱାରା ଏକ ଚୂଡ଼ା ଓ ଧାନ ମିଲ ବନ୍ଦ ହୋଇଯାଇଥିଲା । ଗାଁର ଲୋକମାନେ କହିବା ଅନୁସାରେ ସେହି ଦୁଇଟି ଫେଜ୍‌ରେ ଗାଁର ପ୍ରାୟ ସବୁ ସରକାରୀ ଅନୁଷ୍ଠାନ ସହ ୩୫ ପରିବାର ବିଦ୍ୟୁତ ପାଉଥିଲେ । ଏହି ଟ୍ରାନ୍ସଫରମରରୁ ବିଦ୍ୟୁତ ପାଇବାରୁ ବଞ୍ଚିତ ହୋଇଥିବା ଦୁଇଟି ମିଲର ମାଲିକଙ୍କ ଚାପରେ ପଡ଼ି ଟ୍ରାନ୍ସଫରମରରୁ ବିଦ୍ୟୁତ ସମ୍ପୂର୍ଣ୍ଣ କାଟି ଦିଆଯାଇଛି । ଏହା ଦ୍ୱାରା ସେହି ଲାଇନ ଉପରେ ନିର୍ଭର କରୁଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ, ଆୟୁର୍ବେଦିନ ଡାକ୍ତରଖାନା, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଲାଇନ ପାଇବାରୁ ବଂଚିତ ହୋଇଛି । ମିଲରଙ୍କ ଚାପରେ ପଡ଼ି ସାଧାରଣ ଓ ଅତି ଜରୁରୀ କେନ୍ଦ୍ରକୁ ଲାଇନ କାଟିବା କେତେ ଦୂର ଆଇନସଂଗତ ବୋଲି ଲୋକେ ପ୍ର‌ଶ୍ନ କରିଛ‌ନ୍ତି । ଏ ସଂକ୍ରାନ୍ତରେ ଦାୟିତ୍ବରେ ଥିବା ବିଦ୍ୟୁତ ବିଭାଗର ଏସଡ଼ିଓଙ୍କୁ ପଚାରିବାରୁ କାହାର ଚାପରେ ନୁହେଁ, ଗ୍ରାହାକମାନେ ବିଦ୍ୟୁତ ବିଲ ପଇଠ କରୁ ନାହାନ୍ତି । ସରକାରୀ ଅନୁଷ୍ଠାନ ନାମରେ ବିଦ୍ୟୁତ ବିଲ୍‌ ପଇଠ ନ କରି ବିଦ୍ୟୁତ ସଂଯୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଦ୍ୟୁତ ବିଲ ପଇଠ କଲେ ସଂଯୋଗ କରି ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.