ଆପ୍‌ ପୁଇଁନ୍ତଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶାରେ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଥିବା ବେଳେ ଏହା ବୋଝ ଉପରେ ନଳିତା ବିଡ଼ା ସାଜିଛି । ବିଦ୍ୟୁତ୍‌ ସେବାରେ ସୁଧାର ନଆଣି ସରକାର ଗରିବ ଜନସାଧାରଣ ଉପରେ ବାରମ୍ବାର ଦରବୃଦ୍ଧି ଲଦି ଦେବାକୁ ପୁଇଁନ୍ତଲା ବ୍ଲକ୍‌ ଆପ୍‌ ତରଫରୁ ବିରୋଧ କରାଯାଇଛି । ଗତ ୫ ବର୍ଷରେ ଦ୍ୱିତୀୟ ଥର ପାଇଁ ସରକାର ବିଦ୍ୟୁତ ଦେୟ ବୃଦ୍ଧି କରିଛନ୍ତି । ଅନ୍ୟ ପକ୍ଷରେ ଅନ୍ୟ ରାଜ୍ୟ ସରକାରମାନେ ଲୋକଙ୍କୁ ବିନା ମୂଲ୍ୟରେ ବିଜୁଳି ଦେଉଥିବା ବେଳେ ଓଡ଼ିଶା ସରକାର ବର୍ଦ୍ଧିତ ଦରରେ ମଧ୍ୟ ଉପଯୁକ୍ତ ସେବା ଯୋଗାଇ ଦେଇ ପାରୁନାହାନ୍ତି ବୋଲି ଅଭିଯୋଗ ଆଣିଛି ଆପ୍‌ । ଏହି ବିଦ୍ୟୁତ ବୃଦ୍ଧି ପୁଇଁନ୍ତଲା ଆମ୍‌ ଆଦ୍‌ମୀ ପାର୍ଟି ତରଫରୁ ବିରୋଧ କରାଯାଇ ଲୋଇସିଂହା ବିଧାନସଭା ଅଂଚଳର ସଭାପତି ଜଗଦିଶ ଚନ୍ଦ୍ର ବିଭାର, ସର୍ବେଶ୍ୱର ବିଶି ଓ ଅଶୋକ ବକୁଳ ନେତୃତ୍ୱରେ ପୁଇଁନ୍ତଲା ବ୍ଲକ୍‌ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.