ହାଜତ ଭିତରେ ନିର୍ଘାତ ନିର୍ଯାତନା ଅଭିଯୋଗ : ୫ ଅଭିଯୁକ୍ତ ଗୁରୁତର

ପୁରୀ : ହାଜତ ଭିତରେ ପୁଲିସ୍‌ର ନିର୍ଘାତ ନିର୍ୟାତନାର ପୁଣି ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରି ପ୍ରୟୋଗରେ ୫ ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିଥିବା କୁହାଯାଇଛି । ଅଭିଯୋଗ ଅନୁସାରେ ପୁଲିସ୍‌ ସେମାନଙ୍କୁ ୭ ଦିନ ଧରି ରୀତିମତ ପିଟି ଚାଲିଥିବା ଯୋଗୁଁ ସେମାନଙ୍କ ନୋଳା ବସି ମାଂସ ପଚି ଯାଇଥିବା ସହ ମଳଦ୍ବାର‌ରେ ଗଭୀର କ୍ଷତ ହୋଇଛି । ଗତକାଲି ବାସେଳୀ ସାହି ଥାନାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହୋ ହାଲ୍‌ଲ୍ଲା ହେବା ପରେ ପୁଲିସ୍‌ ଭିତରେ ଆଂଶକା ହେବାରୁ ସେମାନଙ୍କୁ କୋର୍ଟଚାଲାଣ କରିଥିବା କୁହାଯାଇଛି । ସେମାନଙ୍କୁ ନିମାପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କର ଅବସ୍ଥା ଦେଖି ଜେଲ୍‌ କର୍ତ୍ତୃପକ୍ଷ ବି ଫେରାଇ ଦେଇଥିବା ଜଣାପଡ଼ିଛି । ଏହାପରେ ‌ସେମାନଙ୍କୁ କଟକ ବଡ଼ମେଡିକାଲ (ଏସ୍‌ସିବି)କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି ।

ସୂଚନା ଅନୁସାରେ ଗତ ୧୩ ତାରିଖ ଦିନ ପିପିଲି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଏକ ଆକ୍ରମଣ ଘଟଣାରେ ଗିରଫ କରିଥିଲା । ତେବେ ଦୀର୍ଘ ୭ ଦିନ ଧରି ହାଜତରେ ରଖି ମାଡ଼ ମରାଯାଇଥିବା କୁହାଯାଇଛି । ମାଡ଼ରେ ଅଭିଯୁକ୍ତମାନଙ୍କ ମାଂସ ପଚିଯିବା‌ ଅବସ୍ଥାକୁ ଆସିଥିବା ବେଳେ ପୁଲିସର ଦାଦାଗିରି ଲୋକଲୋଚନକୁ ଆସିଛି । ପୁଲିସର ଏଭଳି ବର୍ବରତାର ଶିକାର ହୋଇ ଅଭିଯୁକ୍ତମାନେ ମେଡିକାଲରେ ଜୀବନ ସହିତ ସଂଘର୍ଷ କରୁଥିବା କୁହାଯାଇଛି ।

Leave A Reply

Your email address will not be published.