pakka

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ : ଶିକ୍ଷାକୁ ଗ୍ରହଣ ନିଶାକୁ ବର୍ଜନ କରିବାକୁ ଆହ୍ୱାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରାଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା ଜୟପାଳ ସିଂ ମୁଣ୍ଡା, ଆଦିବାସୀ ସହିଦ ବୀର ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ଷା ମୁଣ୍ଡା, ରେଣ୍ଡୋ ମାଝୀ, ବୀର ସୁରେନ୍ଦ୍ର ସାଏ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କର ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ୱଳନ କରି ଦିବଂଗତ ସମସ୍ତ ସହିଦ ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତିକାରୀ ଦିବସ ସଭାରେ ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ମନୋଜ କୁମାର ଲୁହାଙ୍କ ସଭା ସଂଯୋଜନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ନିରଞ୍ଜନ ବିଶିଙ୍କୁ ରାଜ୍ୟ ସରକାର ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିବାରୁ ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ଅଳଙ୍କୃତ କରିଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଥା ଉଭୟ ବିଶି ମହୋଦୟ ଓ ଶ୍ରୀମତୀ ମୁର୍ମୁ ମହୋଦୟାଙ୍କୁ ସଭାରେ ଶୁଭେଚ୍ଛା ଅଭିନନ୍ଦନ ଜଣାଯାଇଥିଲା । ଆଦିବାସୀମାନଙ୍କ ଐତିହ୍ୟ, କଳା ସଂସ୍କୃତି, ପରମ୍ପରା, ପୂଜା ପଦ୍ଧତି, ଚାଲି ଚଳଣି, କଥା ବାର୍ତ୍ତା, ବେଶ ପୋଷାକ, ଜୀବନ ଜୀବିକା, ଜୀବନ ଶୈଳୀ, ଖାଦ୍ୟ ପେୟ ସ୍ୱତନ୍ତ୍ର କିନ୍ତୁ ଆଧୁନିକତାର ପରଦାରେ ଧୀରେ ଧୀରେ ଏ ସବୁ ଲୁକ୍କାୟିତ ହେବାକୁ ବସିଛି । ସେ ସମୟରେ ଏ ସବୁକୁ ପୁନର୍ଜିବିତ କରିବା ପାଇଁ ଜାତିସଂଘ କାର୍ଯ୍ୟକାରୀ ସମୂହର ଏକ ବୈଠକରେ ୧୯୮୨ ମସିହାରେ ପ୍ରସ୍ତାବ ଆଗତ କରଯାଇଥିଲା । ପର୍ଯ୍ୟୟ କ୍ରମେ ଆଲୋଚନା ପର୍ୟ୍ୟାଲୋଚନା ପରେ ତାହା ୧୯୯୪ ମସିହାରେ ଜାତିସଂଘ ଏ ବିଷୟକୁ ଗୁରୁତ୍ୱ ଦେଇ ଅଗଷ୍ଟ ୯କୁ ବିଶ୍ୱ ଆଦିବାସୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ । ସେ ଦିନରେ ଆଦିବାସୀମାନଙ୍କ କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ପୂଜା ପଦ୍ଧତି, ଭାଷା, ଚାଲି ଚଳଣି, ଖାଦ୍ୟପେୟ, ଜୀବନ ଜୀବିକା, ବେଶ ପୋଷାକ, ଜୀବନ ଶୈଳୀକୁ ଆଦିବାସୀମାନେ ପୁନଃ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରି ଆସୁଛନ୍ତି । ଆଜିର ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ଅବସରରେ ସମଗ୍ର ଆଦିବାସୀ ସମାଜ ଶିକ୍ଷାକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ସମାଜ ଗଢ଼ି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଯାହା ଆଦିବାସୀମାନଙ୍କୁ ପଥ ଭ୍ରଷ୍ଟ କରିଛି ଓ କରିବ ତାହାକୁ ବର୍ଜନ କରିବାକୁ ବକ୍ତାମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ତତ୍ ସହିତ ନିଶା ରୂପକ ଅସୁରକୁ ମୂଳତ୍ପାଟନ କରି ନିଶାକୁ ସମାଜରୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି । ଆଜିର ଦିନକୁ ସମଗ୍ର ରାଜ୍ୟ ତଥା ଦେଶରେ ଛୁଟି ଘୋଷଣା କରି ଆଦିବାସୀ ଦିବସକୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତଥା ବେସରକାରୀ ସଂସ୍ଥା ତଥା ପୁର ପଲ୍ଲୀରେ ପାଳନ କରିବାକୁ ଆଗାମୀ ବର୍ଷରେ ହିଁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ଦାବୀ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଆଦିବାସୀମାନଙ୍କୁ ସତରେ ଭଲ ପାଉଛନ୍ତି ତାହେଲେ ଆଦିବାସୀ ମାନଙ୍କ ପାଇଁ ଯାହା ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହାକୁ ଠିକ ଭାବରେ ସଫଳ ରୁପାୟନ କରିବାକୁ ଦାବୀ ଉପସ୍ଥାପନ କରିଥିଲେ । ଆଜିର ଏହି ପବିତ୍ର ଦିବସରେ ବ୍ଲକ ସମ୍ପାଦକ ସାରଥୀ ବାଗ, ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ଉପଦେଷ୍ଟା ନିତ୍ୟା ଶବର, ଲେକୃ ଧରୁଆ, ଧବଳେଶ୍ୱର ଭୋଇ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜଳ ଧରୁଆ, ହୃଷିକେଶ ଭୋଇ, ପିତାମ୍ବର ଖାଡ଼ିଆ, ଚୁଡାମଣି ଧରୁଆ, ସହଦେବ ଧରୁଆ, ମେନିରାମ ବିଶି, ମୋହନ ବେହେରା, ଗୌରାଙ୍ଗ ବରିହା, ଝେକ୍ରୁ ଭୋଇ, ନିମେଇ କୁଅଁର, ଶେଷ ଦେବ ଧରୁଆଙ୍କ ସହ ଶତାଧିକ ଆଦିବାସୀମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାର ଆଦିବାସୀମାନଙ୍କୁ ସର୍ବୋତ୍ତମ ସେବା ପହଞ୍ଚାଇବା ଲକ୍ଷରେ ସ୍ଵତନ୍ତ୍ର ପଦକ୍ଷେପ ନେଇ ବିଜେଡ଼ି ଆରମ୍ଭ କରିବ ଆଦିବାସୀଙ୍କ ଅଧିକାର ଅଭିଯାନ । ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ୯ ଅଗଷ୍ଟ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରିବା ସହ ସ୍ଥାନୀୟ ବିଜେଡି ନେତୃ ମଣ୍ଡଳୀ ଆଦିବାସୀମାନଙ୍କ ସଂହତି ଆଲୋଚନା କରିବାକୁ ନିଦ୍ଦେଶ ଦେଇଥିବା ବେଳେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶର କିଛି ଫଳପ୍ରଦ ହୋଇନଥିବା ଜଣାପଡିଛି । ସଭା ଶେଷରେ ପିଣ୍ଟୁ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × 1 =