jayashree

ଇବ ନଦୀ ପ୍ରଦୂଷଣ ଓ ବେଆଇନ୍ ଭୂତଳ ଜଳ ଉତ୍ତୋଳନ ଅଭିଯୋଗ ଘଟଣା : ଯୁଗ୍ମ କମିଟି ଗଠନ କରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି

​ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଇବ ନଦୀର ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଦାୟର ହୋଇଥିଲା । ଆବେଦନକାରୀ ଦିଗମ୍ବର ଭୋଇ ଏହି ମାମଲା ଦାୟର କରି ଏକ ଝାରସୁଗୁଡା ସଦର ବ୍ଲକ ମରାକୁଟା ସ୍ଥିତ ଶିଳ୍ପ ସଂସ୍ଥା ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ ବିରୋଧରେ ଗୁରୁତର ଅଭିଯୋଗ ଆଣି ଏନ୍‌ଜିଟିରେ ମାମଲା ରୁଜୁ କରିଥିଲେ । ମାମଲା ଅନୁଯାୟୀ ଓଡ଼ିଶା ମେଟାଲିକ କମ୍ପାନୀ ଗ୍ରୀଷ୍ମଦିନେ ୫୦ରୁ ଉର୍ଦ୍ଧ୍ୱ ହାଇ-ପାୱାର ବୋରୱେଲ୍ ଜରିଆରେ ବେଆଇନ୍ ଭାବେ ବ୍ୟାପକ ଭୂତଳ ଜଳ ଉତ୍ତୋଳନ କରୁଛି । ଏହା ସହ ବର୍ଷା ଜଳ ଅମଳ ପ୍ରକଳ୍ପର ବ୍ୟବହାର ନକରି ଇବ ନଦୀରୁ ଅତ୍ୟାଧିକ ଜଳ ସଂଗ୍ରହ କରାଯାଉଛି, ଯାହାଫଳରେ ନଦୀର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଲୋକଙ୍କ ଜଳ ଆବଶ୍ୟକତା ଉପରେ ଗମ୍ଭୀର ପ୍ରଭାବ ପଡ଼ୁଛି । ଅନ୍ୟପଟେ, ପରିବେଶ ମଞ୍ଜୁରୀର ନିୟମ ଅନୁଯାୟୀ କୋର୍ପୋରେଟ ଏନଭାୟରନ୍‌ମେଣ୍ଟ ରେସପୋନ୍ସିବିଲିଟି ବାବଦରେ ଦୁଇ ବର୍ଷରେ ୨୦୨୪-୨୫ ଓ ୨୦୨୫-୨୬ ମସିହା ପାଇଁ ଖର୍ଚ୍ଚ ହେବାକୁ ଥିବା ୧୫ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ନଥିବା ଆବେଦନରେ ଉଲ୍ଲେଖ କରାଯାଇଛି । ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏନ୍‌ଜିଟିର ବିଚାରପତି ନ୍ୟାୟମୂର୍ତ୍ତି ଅରୁଣ କୁମାର ତ୍ୟାଗୀ, ବିଶେଷଜ୍ଞ ସଦସ୍ୟ ଡ. ଏ. ସେନ୍ଥିଲ ଭେଲ୍ ଏବଂ ଈଶ୍ୱର ସିଂହଙ୍କୁ ନେଇ ଗଠିତ ଏନଜିଟି ବେଞ୍ଚ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ​ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରି ଆବେଦନକାରୀ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ନିରପେକ୍ଷ ତଦନ୍ତ କରିବେ ଏବଂ ଏକ ମାସ ମଧ୍ୟରେ ନିଜର ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆଧାରରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କାର୍ଯ୍ୟଶନୁଷ୍ଠାନ ଗ୍ରହଣ କରିବେ । ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏହି ପ୍ରକ୍ରିୟାର ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଗତ ଅଗଷ୍ଟ ୧୦ ତାରିଖ ଜାତୀୟ ସବୁଜ ଟ୍ରିବୁନାଲ କୋଲକାତା ଦ୍ୱାରା ଏହି ଆଦେଶ ଦିଆଯାଇଥିବା ବେଳେ ଆଦେଶଟି ୧୮ ତାରିଖ ସାର୍ବଜନୀନ କରାଯାଇଛି ।

Leave A Reply

Your email address will not be published.