
ପେନ୍ସନ୍ ବୃଦ୍ଧି ଓ ମହଙ୍ଗା ଭତ୍ତା ଦାବିରେ ଇପିଏଫ୍ ପେନ୍ସନର୍ସ ସଂଘର ଦାବିପତ୍ର, ସରକାରଙ୍କ ଉଦାସୀନତାକୁ ନେଇ କ୍ଷୋଭ
ବଲାଙ୍ଗିର, (କେପିଏନ୍ଏସ୍) : ବର୍ଦ୍ଧିତ ମହଙ୍ଗା ଦରରେ ଜୀବନ ଜୀଇଁବା କଷ୍ଟକର । ଏପଟେ ମିଳୁଥିବା ସ୍ୱଳ୍ପ ପେନ୍ସନ୍ରେ ଚଳିବା ମଧ୍ୟ ହୋଇପଡ଼ିଛି ଦୁର୍ବିସହ । ଏଭଳି ସ୍ଥିତିରେ ପେନ୍ସନ୍ ବୃଦ୍ଧି ସହ ଅନ୍ୟାନ୍ୟ ମୌଳିକ ସୁବିଧା ଦାବିରେ ସ୍ୱର ଉଠାଇଛି ଅଲ୍ ଓଡ଼ିଶା ଇପିଏଫ୍ ପେନ୍ସନର୍ସ ଆସୋସିଏସନ୍ର ବଲାଙ୍ଗିର ଜିଲ୍ଲା ଶାଖା । ଚାରି ଦଫା ଦାବି ପୂରଣ ନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ଏହି ଦାବିପତ୍ର ଗ୍ରହଣ କରିଥିଲେ । ସଂଘର ମୁଖ୍ୟ ଦାବି ମଧ୍ୟରେ ଇପିଏଫ୍ ପେନ୍ସନ୍ର ସର୍ବନିମ୍ନ ମାସିକ ପରିମାଣ ୯ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ପେନ୍ସନ୍ରେ ମହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗ୍ୟ ପେନ୍ସନ୍ଭୋଗୀଙ୍କୁ ବର୍ଦ୍ଧିତ ପେନ୍ସନ୍ ଦେବା ଏବଂ ସମସ୍ତ ଇପିଏଫ୍ ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଆଦି ଦାବି ରହିଛି । ସଂଘର କହିବା ଅନୁସାରେ, ଏହି ଦାବିଗୁଡ଼ିକ ନେଇ ପୂର୍ବରୁ ମଧ୍ୟ ବାରମ୍ବାର ସରକାରଙ୍କ ନିକଟରେ ଦାବିପତ୍ର ଦିଆଯାଇଛି । ହେଲେ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ପେନ୍ସନ୍ଭୋଗୀଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି । ତୁରନ୍ତ ଦାବିଗୁଡ଼ିକ ପୂରଣ କରି ବରିଷ୍ଠ ନାଗରିକଙ୍କୁ ଆର୍ଥିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବାକୁ ସଂଘ ଦାବି କରିଛି । ଏହି ଅବସରରେ ସଂଘର ଜିଲ୍ଲା ସଭାପତି ବିଶ୍ୱ ପ୍ରକାଶ ମିଶ୍ର, ଉପସଭାପତି ଅଭୟ ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ମହେଶ୍ୱର ମେହେରଙ୍କ ସମେତ ରାଧେଶ୍ୟାମ ମେହେର, ଉମେଶ ଚନ୍ଦ୍ର ପଣ୍ଡା, ଅନ୍ତର୍ଯ୍ୟାମୀ ତ୍ରିପାଠୀ ଓ ବନମାଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।