pakka

ନୂଆପଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ଫେଲ : ସାଧାରଣରେ ଅଭିଯୋଗ

bbehera

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ଏବଂ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି ବୋଲି ମତପ୍ରକାଶ ପାଉଛି । ସୂଚନା ଅନୁସାରେ ଏହି ସବୁ ଯୋଜନାରୁ ଗରିବ ହିତାଧିକାରୀ ମାନେ ବଞ୍ଚିତ ହୋଇ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଲୋକେ ନିଜ ଅଧିକାରରୁ ବଂଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ବୋଲି ଅଭିଯୋଗ ହେଉଛି । ଏପରି ଏକ ଘଟଣା ଘଟିଥିବା ସୂଚନା ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗାଁରେ । କେନ୍ଦ୍ରର ଆୟୁଷ୍ମାନ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆପଡା ଜିଲ୍ଲାରେ ଫେଲ ମାରିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା କରାଇ ନପାରି ଦୀର୍ଘ ୫ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗାଁର କେତୁ ଷଣ୍ଢଙ୍କ ସ୍ତ୍ରୀ ହୀରାବାଇ ଷଣ୍ଢ । କେତୁ ଷଣ୍ଢଙ୍କ ପରିବାର କହିଲେ ରୁଗଣା ସ୍ତ୍ରୀ ଏବଂ ପୁଅବହୁ ମିଶି ଚାରି ଜଣ । ସୁରୁଖୁରୁରେ ଚାଲୁଥିଲା ତେଲଲୁଣର ସଂସାର ହେଲେ ଗତ ୫ ବର୍ଷ ତଳେ ସ୍ତ୍ରୀ ହୀରାଦେଇ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡିଲେ । ଧୀରେ ଧୀରେ ଗୋଡ଼ ହାତ ବଙ୍କେଇ ହୋଇ ଯାଇ ଚଲାବୁଲା ସାଙ୍ଗକୁ ବସିବା ଶୋଇବା ସବୁ କାଠିକର ପାଠ ହୋଇଗଲା । କେତୁ ଷଣ୍ଢ ଗରିବ ହୋଇଥିଲେ ହେଁ ନିଜ ସ୍ତ୍ରୀର ସ୍ୱାସ୍ଥ୍ୟକୁ ଠିକ୍‌ କରିବା ପାଇଁ ଧାରକରଜ କରି ଖଡ଼ିଆଳ ଠାରୁ ଆରମ୍ଭ କରି ନୂଆପଡା, କେସିଙ୍ଗା ସହ ବିଭିନ୍ନ ଆୟୁର୍ବେଦିକ ଚିକିତ୍ସା କରାଇ ସର୍ବସାନ୍ତ ହୋଇଯାଇଛନ୍ତି । ଦିନକୁ ଦିନ ହୀରାଦେଇଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଲା । ବର୍ତ୍ତମାନ ଅର୍ଥାଭାବରୁ ଆଜକୁ ଚାରିବର୍ଷ ହେବ ସ୍ତ୍ରୀ ହୀରାଦେଇଙ୍କୁ ଘରେ ଶଯ୍ୟାଶାୟୀ କରି ରଖି ନିଜେ କେତୁ ଷଣ୍ଢ ସ୍ତ୍ରୀର ଦୈନନ୍ଦିନ ସେବା କରି ନିତ୍ୟକର୍ମ କରାଉଛନ୍ତି । ସରକାରଙ୍କ ଅନେକ ଯୋଜନା କଥା ଶୁଣିଛୁ ହେଲେ କେବେ ଓ କିପରି ମିଳିବ ତା’ ଆଶାରେ ଭାଗ୍ୟକୁ ଆଦରି ଅଛୁ । ଯଦ୍ୟ ସରକାର ଦୃଷ୍ଟି ଦେଇ ମୋ ସ୍ତ୍ରୀର ଚିକିତ୍ସା କିମ୍ବା ମୋତେ ଆର୍ଥିକ ସହାୟତା ଯୋଗାଇ ଦେଲେ ସରକାରଙ୍କ ଠାରେ ଋଣୀ ହୋଇ ରହିବୁ ବୋଲି କେତୁ ଷଣ୍ଢ ଏବଂ ତାଙ୍କ ପୁଅ କହିଛନ୍ତି ।

ସୁଚନା ଯୋଗ୍ୟ ଯେ, ପରିବାର ବଞ୍ଚିବାକୁ ହେଲେ ଏକ ମାତ୍ର ପୁଅ କୁଳିମଜୁରୀ କରି ଘର ଚଳାଉଛି । ସରକାରୀ ସହାୟତା କହିଲେ ମାସକ ରାସନ କାର୍ଡରେ ମିଳୁଥିବା ୨୦ କେଜି ଚାଉଳ ସାଙ୍ଗକୁ ଦୁଇ ଜଣଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ଏକ ମାତ୍ର ଭରସା । ହୀରାଦେଇଙ୍କୁ ଗତ ଦୁଇ ବର୍ଷ ତଳୁ ଶହେ ଶତକଡ଼ାର ବିକଳାଙ୍ଗ ପ୍ରମାଣ ପତ୍ର ମିଳିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ବିକଳାଙ୍ଗ ଭତ୍ତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ଜଣାପଡିଛି । ଏହି ଦୁଃଖ ବାବଦରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେଇ ପ୍ରଶାସନ ସିଡିଏମ୍‌ଓଙ୍କୁ ଅବଗତ କରାଇଥିଲେ ହେଁ କୌଣସି ଜନ ପ୍ରତିନିଧି କିମ୍ବା ସରକାରୀ ଅଧିକାରୀ କର୍ଣ୍ଣପାତ କରୁନଥିବା କେତୁ ଷଣ୍ଢଙ୍କ ସହ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ହୀରାଦେଇଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.

9 + twenty =