pakka

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ଏବଂ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ

bbehera

ଭୁବନେଶ୍ୱର : ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ଏବଂ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ । ଡାକ୍ତରଙ୍କ ଅହରହ ଚେଷ୍ଟା, ସାଢ଼େ ୪ କୋଟି ଓଡ଼ିଆଙ୍କ ଭଲପାଇବା ଏବଂ ପ୍ରାର୍ଥନା ସତ୍ୱେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ବୁଧବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୨୫ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ତାଙ୍କୁ ୪୭ ବର୍ଷ ହୋଇଥିଲା ।

ଭୁବନେଶ୍ୱରରେ ଡାକ୍ତରଙ୍କ ପରାମର୍ଶକ୍ରମେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସେ ନୂଆଦିଲ୍ଲୀରୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଯଶୋଦା ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ । ସମସ୍ତଙ୍କ ଆଶା ଥିଲା ସେ ଭଲ ହୋଇ ନିଶ୍ଚୟ ପୁଣି ଅଭିନୟ ଦୁନିଆକୁ ଫେରିବେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସମସ୍ତଙ୍କୁ ଶୋକର ସାଗରରେ ଭସାଇ ପରପାରିକୁ ଚାଲିଗଲେ ପିଣ୍ଟୁ । ତାଙ୍କ ଅକାଳ ବିୟୋଗରେ ଗଭୀର ଭାବେ ଭାଙ୍ଗି ପଡ଼ିଥିବା ଓଲିଉଡ ପୁନର୍ବାର ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ହରାଇ ମର୍ମାହତ ଓ ନିର୍ବାକ ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର, ବିଶେଷକରି କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବହୁବିଧ ପ୍ରତିଭା ଥିଲେ ପିଣ୍ଟୁ । ନିଜ କାନ୍ଧରେ ନିଜେ ଚଳଚ୍ଚିତ୍ରକୁ ବୋହି ନେବା ଭଳି ଦମ୍ଭିଲା ଆଉ ଦକ୍ଷ ଥିଲେ । କିନ୍ତୁ ସବୁର ଅବସାନ ହୋଇଛି । ଦୀର୍ଘଦିନ ଧରି ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁ ଲିଭର୍‌ ସିରୋସିସ୍‌ରେ ପୀଡ଼ିତ ଥିଲେ । ଗତ କିଛି ଦିନ ହେବ ଗୁରୁତର ହୋଇପଡ଼ିଥିଲେ । କଥାବାର୍ତ୍ତା କରିବାକୁ, ଯିବା, ଆସିବା କରିବାକୁ ବି ତାଙ୍କର ବଳ ନଥିଲା ।

ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ନକଲେ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଭୁବନେଶ୍ୱରରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ଆର୍ଥିକ ସମସ୍ୟା ଲାଗି ବାହାରକୁ ଯାଇ ଚିକିତ୍ସା କରିବାକୁ ସେ ଓ ତାଙ୍କ ପରିବାର ଲୋକ ଅସମର୍ଥ ଥିଲେ । କାରଣ ତାଙ୍କର ଏହି ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ଯିବା ସହିତ ୫୦ ଲକ୍ଷରୁ ଅଧିକ ଟଙ୍କାର ଆବଶ୍ୟକତା ଥିଲା । ଶେଷରେ ଏନେଇ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସ୍ତରରୁ ପିଣ୍ଟୁଙ୍କ ପାଖକୁ ସାହାଯ୍ୟର ହାତ ବଢାଇଥିଲେ ଅନେକେ । ସମଗ୍ର ଓଲିଉଡ ତାଙ୍କ ପଛରେ ଛିଡ଼ା ହୋଇଥିଲା । ବହୁ କଷ୍ଟ ସ୍ୱୀକାର କରି ପରିବାର ଲୋକଙ୍କ ସହ ଗତ ଫେବ୍ରୁଆରୀ ୭ରେ ନୂଆଦିଲ୍ଲୀ ଯାଇଥିଲେ ପିଣ୍ଟୁ । କିଛିଦିନ ଧରି ଆଇଏଲ୍‌ବିଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର୍‌ ଆଣ୍ଡ୍‌ ବିଲିଆରୀ ସାଇନ୍ସେସ୍‌)ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଡୋନର ମିଳିବା କଷ୍ଟକର ହେବା ପରେ ଶେଷରେ ଡାକ୍ତର ତାଙ୍କୁ ହାଇଦ୍ରାବାଦ ଯିବାକୁ ପରାମର୍ଶ ଦେଇଥିଲେ । ଗତ ୨୫ ତାରିଖରେ ସେ ନୂଆଦିଲ୍ଲୀରୁ ହାଇଦ୍ରାବାଦ ଯାଇ ଯଶୋଦା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ।

ବୁଧବାର ସନ୍ଧ୍ୟାରେ ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଅଭିନେତା ଶ୍ରୀତମ ଦାସ ପିଣ୍ଟୁଙ୍କ କିଛି ଫଟୋ ଏବଂ ଡାକ୍ତରୀ ଚିଠାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଉଲ୍ଲେଖ କରିଥିଲେ କି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଖାପାଖି ୩୫ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତରୀ ଚିଠାରେ ଲେଖାଥିଲା । କିନ୍ତୁ ଶେଷରେ ସେ ପୁଣି ପିଣ୍ଟୁଙ୍କ ଏକ ଭିଡିଓ ପୋଷ୍ଟ କରି ଏଭଳି ଏକ ଦୁଃଖଦ ଖବର ଦେଇଥିଲେ ।ପିଣ୍ଟୁ “ଜୟ ଜଗନ୍ନାଥ’, “ବାହୁଡ଼ିବେ ମୋ ଜଗାବଳିଆ’, “ଆଇ ଲଭ୍‌ ମାଇଁ ଇଣ୍ଡିଆ’, “ସାଥୀରେ’, “ପ୍ରେମ ପାଇଁ ମହାଭାରତ’, “କଥା ଦେଲି ମଥା ଛୁଇଁ’, “ଲଭ୍‌ ମାଷ୍ଟର୍‌’, “ଦୋସ୍ତି’, “ପ୍ରେମ ଋତୁ ଆସିଲାରେ’, “ହାତ ଧରି ଚାଲୁଥା’, “ରଙ୍ଗ ନମ୍ବର’ ଓ “ଲଭ୍‌ ଏକ୍ସପ୍ରେସ୍‌’ ଆଦି ଚଳଚ୍ଚିତ୍ର ଏବଂ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଓଡ଼ିଆ ଆଲ୍‌ବମ୍‌ ‘ଏ ଗଉରା’ ଏବଂ ଦୂରଦର୍ଶନ ଧାରାବାହିକ ‘ରାଣ୍ଡି ପୁଅ ଅନନ୍ତା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରାଇଥିଲା । ତାଙ୍କ ଅବର୍ତ୍ତମାନରେ ଜଣେ ଚର୍ଚ୍ଚିତ ତାରକାଙ୍କୁ ହରାଇ ଝୁରି ହେଉଛନ୍ତି ମ୍ରିୟମାଣ କୋଟି କୋଟି ଓଡ଼ିଆ । ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

4 × 4 =