pakka

ବାଂଲାଦେଶରେ ଧର୍ମକୁ ନେଇ ହିଂସା

ଢାକା : ଦୁର୍ଗାପୂଜା ବେଳେ ଇସ୍‌ଲାମ ଧର୍ମ ପ୍ରତି ଅସମ୍ମାନ କରାଯାଇଥିବା ବାର୍ତ୍ତା ପ୍ରଚାର ହେବାରୁ ବାଂଲାଦେଶରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମନ୍ଦିର ଭଙ୍ଗାରୁଜା ଓ ହିଂସାକାଣ୍ଡ ଜାରି ରହିଥିବା ସୂଚନା ମିଳିଛି । ଏହାର ପ୍ରତିବାଦରେ ସଂଖ୍ୟାଲଘୁମାନଙ୍କ ପକ୍ଷରୁ ଦେଶବ୍ୟାପୀ ଅନଶନ ଡାକରା ଦିଆଯାଇଛି । ସଂଖ୍ୟାଗରିଷ୍ଠ ମୁସଲମାନମାନେ କେତେକ ସ୍ଥାନରେ ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା କରିଥିବା ବେଳେ ଏହି ହିଂସା ପ୍ରାୟ ୧୨ଟି ଜିଲ୍ଲାକୁ ବ୍ୟାପିଥିବା କୁହାଯାଇଛି । ବୁଧବାର ହାଜିଗଞ୍ଜସ୍ଥିତ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର ଦୁର୍ଗାପୂଜାର ଶେଷ ଦିନରେ ବେଗୁମଗଞ୍ଜ ସହରରେ ହିନ୍ଦୁମାନେ ଭସାଣି ଶୋଭାଯାତ୍ରା ବାହାର କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ମୁସଲମାନ ସେଠାରେ ପହଞ୍ଚି ଏକ ମନ୍ଦିର ଉପରେ ଆକ୍ରମଣ କରିବା ସହ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରିଥିଲେ । ଶନିବାର ରାଜଧାନୀ ଢାକାଠାରୁ ୧୫୭ କିଲୋମିଟର ଦୂର ଫେନିଠାରେ ଏକ ହିନ୍ଦୁ ମନ୍ଦିର ଓ କେତେକ ଦୋକାନ ଭଙ୍ଗାଯିବା ସହ ଲୁଟ୍‌ପାଟ ହୋଇଛି । ସଂଘର୍ଷ ବେଳେ ଫେନି ଥାନା ଭାରତପ୍ରାପ୍ତ ଅଧିକାରୀଙ୍କ ସମେତ ୪୦ ଜଣ ଆହତ ହୋଇଥିଲେ । ଉତ୍ତେଜନା ଲାଗି ରହିଥିବାରୁ ଉକ୍ତ ଅଞ୍ଚଳରେ ଅତିରିକ୍ତ ପୋଲିସ ଓ ଅର୍ଦ୍ଧସାମରିକ ଯବାନ ନିୟୋଜିତ କରାଯାଇଛି । ଏହାର ପ୍ରତିବାଦରେ ଦେଶବ୍ୟାପୀ ଅନଶନ ଡାକରା ଦିଆଯାଇଛି । ୨୩ ତାରିଖରୁ ଅନଶନରେ ବସିବା ଲାଗି ଚିଟାଗଙ୍ଗସ୍ଥିତ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ ପକ୍ଷରୁ ଘୋଷଣା କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

15 − 8 =