pakka

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ : ବରଗଡ଼ର ୨ ହଜାର ବର୍ଷ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଏଏସଆଇକୁ ଦାୟିତ୍ୱ ଦେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ
• ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ
• ପ୍ରାଚୀନ ଅଂଶବିଶେଷରୁ ଉକ୍ତସ୍ଥାନଟି ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ବୋଲି ଜଣାପଡ଼ିଛି
• ଆଗକୁ ଖନନ ଜାରି ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବରଗଡ଼ର ଜୈନେକ ଅଶ୍ୱିନୀ କୁମାର ସାରଙ୍ଗୀଙ୍କ ପତ୍ର ଆଧାରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ଯେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏହି ପୁରାତନ ସଭ୍ୟତାର ଆବିଷ୍କାର କରିଛନ୍ତି । ଗତ ମାସ ୩୧ ତାରିଖରେ ଏକ ବିଶେଷଜ୍ଞ ଦଳର ନେତୃତ୍ୱରେ ୬୦ ଜଣ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଏବଂ ଇତିହାସ ବିଭାଗର ପ୍ରାଧ୍ୟାପକ ଉକ୍ତ ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୭ ହେକ୍ଟର ପରିମିତ ଜାଗାରେ ବ୍ୟାପ୍ତ ସେହି ସ୍ଥାନରେ ଅନେକ ମୂଲ୍ୟବାନ ମନୁଷ୍ୟକୃତ ସାମଗ୍ରୀ ଏବଂ ପୁରାତନ ସଭ୍ୟତାର ଅଶଂବିଶେଷ ମିଳିଛି । ଖନନ ସ୍ଥଳରୁ ମିଳିଥିବା ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ପୂର୍ବର ବୋଲି ଜଣାପଡ଼ିଛି । ମିଳିଥିବା ପ୍ରାଚୀନ ଅଶଂବିଶେଷରୁ ଜଣାପଡ଼ୁଛି ଉକ୍ତ ସ୍ଥାନଟି ପୂର୍ବ କାଳରେ ଏକ ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଆଗକୁ ଖନନ ଜାରୀ ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ ।

ଏଭଳି ଏକ ବୃହତ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିବା ବିରଳ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ । ଐତିହାସିକ ଗୁରୁତ୍ୱ ଏବଂ ସମ୍ଭାବ୍ୟ ରହସ୍ୟ ଉନ୍ମୋଚନ ହେବା ଦୃଷ୍ଟିରୁ ଏଏସଆଇକୁ ଏହି ପ୍ରତ୍ନତ୍ୱାତିକ ସ୍ଥଳକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି । ଐତିହାସିକ ଦୃଷ୍ଟିକୋଣରୁ ମୂଲ୍ୟବାନ ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ ପାଇଁ ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

twelve − eleven =