ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପକ୍ଷରୁ ଜଗନ୍ନାଥାଷ୍ଟକମ ପାଠ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଚତୁର୍ଥ ଦିବସରେ ଗତକାଲି ଲାଠିକଟା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥାଷ୍ଟକମ୍ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ପାଖରେ ପୂଜାର୍ଚନା ଅନୁଷ୍ଠିତ ହେଲାପରେ ଶ୍ରୀମନ୍ଦିରର ସୁରକ୍ଷା ଉଦେଶ୍ୟରେ ସାମୁହିକ ଭାବରେ ଜଗନ୍ନାଥାଷ୍ଟକମ ପଠନ କରାଯାଇଥିଲା ଜ୍ଝ ତାପରେ ଅନୁଷ୍ଠିତ ସଭାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ କହିଥିଲେ ଯେ, ଦେଶର ଚାରିଧାମରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ ହୋଇଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ । ତାଛଡା ୧୯୫୮ରେ ସଂସଦରେ ପାରିତ ହୋଇଥିବା ଆମ୍‌ସାର୍ ଆଇନ ଅନୁସାରେ କୌଣସି ଐତିହ୍ୟ ସ୍ଥଳରେ ୧୦୦ ମିଟରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଛି । ତା’ସହିତ ୨୦୦ ମିଟରର ରେଗୁଲେଟେଡ ଏରିଆରେ ଯଦି କୌଣସି ନିର୍ମାଣ କାର୍ୟ୍ୟ କରାଯିବ ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବିଡମ୍ବନାର ବିଷୟ ହେଲା ଯେ ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସବୁ ନିୟମକୁ ଅଣଦେଖା କରି ବେଆଇନ ଭାବେ ସରକାର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳରେ ବ୍ୟାପକ ଭାବେ ଖନନ ଓ ଭଙ୍ଗାରୁଜା କାର୍ୟ୍ୟ କରିଛନ୍ତି । କୌଣସି କାର୍ଯ୍ୟରେ ଏଏସ୍‌ଆଇ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅନୁମତି ନିଆଯାଇନାହିଁ । ଯାହାଦ୍ଵାରା ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଶ୍ରୀ କୁସୁମ ଆହୁରି କହିଥିଲେ ଯେ, ଶ୍ରୀଜଗନ୍ନାଥ ହେଉଛନ୍ତି ଏ ଜାତିର ଇଷ୍ଟ ଦେବତା, ଶ୍ରୀମନ୍ଦିର ହେଉଛି ଏ ଜାତିର ଅସ୍ମିତା । ଯେତେବେଳେ ଶ୍ରୀମନ୍ଦିର ବିପଦରେ ପଡ଼ିଛି, ସେତେବେଳେ ଆମକୁ ବୁଝିବାକୁ ହେବ ଯେ, ଆମ ପରିଚୟ ବି ବିପଦରେ ପଡ଼ିଛି । ତେଣୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହୋଇ ଆମ ଠାକୁର, ଆମ ପରିଚୟ, ଆମ ସ୍ବାଭିମାନ ପାଇଁ ହେଉଥିବା ଲଢେଇକୁ ସଫଳ କରିବା ପାଇଁ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ମନ୍ଦିରର ପଡପଣ୍ଡା ଗଗନ ବିହାରୀ ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତ୍ରିଲୋକନାଥ ସିଂ, ମହେନ୍ଦ୍ର ପ୍ରସାଦ ବେହେରା, ଗନ୍ଧର୍ବ ମହାନ୍ତି, ଦିବାକର କର, ହେମନ୍ତ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ରଘୁନାଥ ରଣା, ବୁଦ୍ଧଦେବ ବେହେରା, ଉଦୟ ଯାନୀ, ଦିଲୀପ କୁମାର କର, ସଂଯୁକ୍ତା ରାଉତ, ମଞ୍ଜୁ ପଟେଲ, ସୁମିତ୍ରା ପଶାୟତ, ଉଷାରାଣୀ ଦାସ, ଆଶାଲତା ପଣ୍ଡା, ଲଷ୍ମୀପ୍ରିୟା ଦାସ, କବିତା ବିଶ୍ୱାଳ, ଉର୍ମିଳା ନାୟକ, ପ୍ରତିମା ବେହେରା ପ୍ରିୟଙ୍କା ଦାସ, ଜ୍ୟୋତ୍ସ୍ନାରାଣୀ ବେହେରା, କନକଲତା ସ୍ୱାଇଁ ଅଞ୍ଜନା ଦେ, ନିତୁ ଦେବୀ ପ୍ରମୁଖ ଜଗନ୍ନାଥ ପ୍ରେମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.