ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦେଶାନୁଯାୟୀ ଗତକାଲି ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ ୨୦ଟି ମାମଲା ଚିହ୍ନଟ କରାଯାଇଥିଲା, ୫ ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା, ୨୦ଟି ବିଭିନ୍ନ ଗାଡିକୁ ଅଟକ ରଖାଯାଇଥିବା ବେଳେ ୧୭ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ନିର୍ଦେଶ କ୍ରମେ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆରଟିଓ ଏବଂ ଏସ୍ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀଙ୍କ ଦ୍ୱାରା ଜିଲ୍ଲାରେ ଏକ କାଳୀନ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।