ସମ୍ବିଧାନକୁ ସଂଶୋଧନ କରିପାରିବ ପାର୍ଲିଆମେଣ୍ଟ ଏବଂ ପାର୍ଲିଆମେଣ୍ଟକୁ ସଂଶୋଧନ କରିପାରିବା ଜୁଡିସିଆରୀର ଅଧିକାର ରହିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନକୁ ସଂଶୋଧନ କରିପାରିବ ପାର୍ଲିଆମେଣ୍ଟ ଏବଂ ପାର୍ଲିଆମେଣ୍ଟକୁ ସଂଶୋଧନ କରିପାରିବାର ଜୁଡିସିଆରୀର ଅଧିକାର ରହିଛି ବୋଲି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କିଶୋର କୁମାର ବେହେରା ଦର୍ଶାଇଛନ୍ତି । ସେହିପରି ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ବୋଲି ଆମ ସମ୍ବିଧାନରେ କୁହାଯାଇଛି । ଆମ ସମ୍ବିଧାନରେ ନାରୀ ଶକ୍ତିକୁ ଅଧିକା ଗୁରୁତ୍ତ୍ୱ ପ୍ରଦାନ କରାଯାଇଛି । ଭାରତ ବର୍ଷର ସମ୍ବିଧାନର ମହତ୍ତ୍ୱକୁ ପ୍ରତିପାଦନ କଲେ ଅନ୍ୟ ଦେଶଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି କରେ । କିନ୍ତୁ ଭାରତ ଭଳି ଦେଶରେ ଜାତି ଆଣଭାବ, ଜାତିଗତ ବିଭେଦ, ଜାତିସମାଜ ଗୋଷ୍ଠୀ ସଂଗଠନ ଗଢ଼ି ଏବେ ସୁଦ୍ଧା ତାହାର ଗାରିମା ପ୍ରଦର୍ଶନ କରିଆସୁଛନ୍ତି । ଏଠି ବିବିଧତା ମଧ୍ୟରେ ଭିନ୍ନତା ରହିଥିବା ନେଇ ଭାରତ ଏକ ସାର୍ବଭୌମ ସମାଜବାଦ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଇଛି ବୋଲି ବରିଷ୍ଠ ସାମ୍ବାଦିକ ତଥା ଆଇନଜ୍ଞ ଅବନୀ କୁମାର ଗୟା ତାତ୍ତ୍ଵିକ ଆଲୋଚନା କରିଥିଲେ । ସମ୍ବିଧାନ ପ୍ରଣେତା ଡ଼ଃ. ଭୀମାରାଓ ରାମଜୀ ଆମ୍ବେଦକରଙ୍କ ୧୩୧ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସାମାରୋହ ସଦରମହକୁମା ଛତ୍ରପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବିଶିଷ୍ଟ ବକ୍ତାମାନେ ଭାରତୀୟ ସମ୍ବିଧାନର ସଂସ୍କାର ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସାମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧ୍ୟ ଏହାର ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଏହି ଅବସରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା ସ୍କୁଲ ଓ କଲେଜସ୍ତରୀୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭଗ ଅଧିକାରୀ ରବିନାରାୟଣ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ସୁରେଖା ସୁନ୍ଦରୀ ମଲ୍ଲିକ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସାମାରୋହରେ ଉପସ୍ଥିତଙ୍କୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସଭିଙ୍କୁ ପଣା ବିତରଣରେ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.