ଘଣ୍ଟାପଡା ବିଦ୍ୟୁତ ଷ୍ଟକ୍ଚରରେ ତାଲା ପକାଇଲେ ଉପଭୋକ୍ତା

କଣ୍ଟାମାଳ, (ବଂଶୀଧର ମାଝୀ) : ଟାଟା କମ୍ପାନୀର ଅବହେଳା ଯୋଗୁଁ ଘଣ୍ଟାପଡା ଷ୍ଟ୍ରକ୍ଚର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି । ଦୀର୍ଘ ୫ଦିନ ହେଲା ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୪୧ ଡିଗ୍ରୀ ଉତ୍ତାପ ରହୁଛି ଫଳରେ ବିଦ୍ୟୁତ ନଥିବାରୁ ଲୋକେ ପଙ୍ଖା, କୁଲର, ରେଫ୍ରିଜେଟର ଆଦି ବ୍ୟବହାର କରି ନପାରି ଉତ୍ତାପରେ ଡହକ ବିହଳ ହେଉଛନ୍ତି । ବିଦ୍ୟୁତ ନଥିବାରୁ ରାତିରେ ମଶାର ଶୀକାର ହେଉଛନ୍ତି । ଅନ୍ୟପଟେ ରବି ଚାଷ ମଧ୍ୟ ନଷ୍ଟ ହୋଇ ଗଲାଣି । ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଫୋନ କଲେ କେହି ଗୁରୁତ୍ବ ଦେଉ ନାହାନ୍ତି । ହେଲ୍ପଲାଇନକୁ କଲ କଲେ ଆଜି ସମାଧାନ ହେଇଯିବ କହି କଥାକୁ ଟାଲି ଦେଉଛନ୍ତି । ଏହାର ପ୍ରତିବାଦରେ ମଙ୍ଗଳବାର ସନ୍ଧ୍ୟାରେ ଖୁଣ୍ଟିଗୋରା ଓ ଉମା ପଞ୍ଚାୟତର ଶତାଧିକ ବିଦ୍ୟୁତ ଉପଭୋକ୍ତା ଘଣ୍ଟାପଡା ବିଦ୍ୟୁତ ଷ୍ଟ୍ରକ୍ଚରକୁ ଆସି ବିଭିନ୍ନ ନାରାବାଜି କରି ପ୍ରତିବାଦ କରିବା ସହ କାର୍ୟ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ସ୍ଥାୟୀ ସମାଧାନ ନହେବା ଯାଏ ତାଲାବନ୍ଦ ଜାରି ରହିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.