ଢେଙ୍କାନାଳ, (ତାପସ ଦାସ) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀ ଘର ଆଗରେ ଫୁଟାଇଲେ ଡିନାମାଇଟ । ଡିନାମାଇଟ ବିସ୍ଫୋରଣରେ ଘରର ମୁଖ୍ୟ ଗେଟ୍ର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଥାନା ମହୁଲପାଳ ଗ୍ରାମରେ । ଗ୍ରାମର ବାଲୁଙ୍କେଶ୍ୱର ଦେହୁରୀ ଓ ପଡୋଶୀ ରବି ପେଣ୍ଠେଇଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଥିଲା । ଗତକାଲି ଉଭୟ ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା, ତେବେ ଗତକାଲି ରାତି ପ୍ରାୟ ୧୧ଟା ବେଳକୁ ବାଲୁଙ୍କେଶ୍ୱର ପରିବାର ଖାଇପିଇ ଶୋଇଥିବା ବେଳେ ରବି ପେଣ୍ଠେଇଙ୍କ ଦୁଇ ପୁଅ ଶାନ୍ତନୁ ଓ ଲିକୁନ ବାଲୁଙ୍କେଶ୍ୱରଙ୍କ ଘରେ ଡିନାମାଇଟ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବିସ୍ପୋରଣରେ ଗ୍ରୀଲ ଭାଙ୍ଗିବା ସହ କାନ୍ଥ ଓ ଛାତ ଫାଟି ଯାଇଛି । ସୌଭାଗ୍ୟବସତଃ ପରିବାରର କୋଣସି କ୍ଷତି ହୋଇନାହିଁ । ବାଲୁଙ୍କେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରବି ପେଣ୍ଠେଇ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ଥାନାରେ ଅଟକ ରଖାଯାଇ ପଚାର ଉଚରା ଚଲାଇଛି ପୋଲିସ ଏବଂ ଲିକୁନ ଘଟଣାସ୍ଥଳରୁ ଫେରାରଥିବା ଜଣାପଡିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।