ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ଅହ୍ୱାନ କଲେ ରାଜ୍ୟ ନିର୍ବାଚନ ଆୟୋଗ, ଆସନ୍ତା ୧୦ ତାରିଖ ଦିନ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଆହ୍ୱାନ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁ ଏ ସଂକ୍ରାନ୍ତରେ ସମସ୍ତ ରାଜନୈତିକ ଦଳଗୁଡ଼ିକର ସଭାପତି ତଥା ସାଧାରଣ ସଂପାଦକଙ୍କ ଉଦ୍ଦେଶ୍ୟରେ ଆଜି ଏକ ପତ୍ର ଜାରି କରିଛନ୍ତି । ପତ୍ରରେ ଉଲ୍ଲେଖ ରହିଛି ଯେ, ପୌର ପରିଷଦ ତଥା ପୌର ନିଗମଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର୍‌ ତାଲିକା ଏବଂ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ସହିତ ବିଚାର ବିମର୍ଷ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ରାଜନୈତିକ ଦଳଗୁଡ଼ିକ ସହିତ ଏକ ବୈଠକ ସ୍ଥିର କରିଛନ୍ତି । ଏହି ସଂକ୍ରାନ୍ତରେ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ (ଜୟଦେବ ଭବନ ପଛପାଖ) ସଭାଗୃହରେ ଆସନ୍ତା ଫେବୃଆରୀ ୧୦ ତାରିଖ ପୂର୍ବାହ୍ନ ୧୧ଟା ୩୦ମି. ସମୟରେ ବୈଠକ ଅନୁଷ୍ଠିତ ହେବ । ତେବେ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏହି ବୈଠକରେ ପ୍ରତ୍ୟେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରାଧିକୃତ ପ୍ରତିନିଧି ଏହି ବୈଠକରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିମାନେ ନିଜ ସହ ପ୍ରାଧିକରଣ ପତ୍ର ଆଣି ଆସିବାକୁ କୁହାଯାଇଛି ।

Leave A Reply

Your email address will not be published.