csstore

ମହୁମାଛି ଆକ୍ରମଣରେ ମୃତ ଆଦିବାସୀଙ୍କ ପରିବାରକୁ ସହଯୋଗର ହାତ ବଢାଇଲା ବିଜେଡି

କଳାହାଣ୍ଡି, (କେପିଏନ୍‌ଏସ୍‌) : ମହୁମାଛି ଆକ୍ରମଣରେ ମୃତକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ଲାଞ୍ଜିଗଡ ବିଜେଡି । ଏହି ବ୍ଲକର ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର ଦୁଇ ଭାଇ ଘାସି ମାଝୀ ଓ ଡମେ ମାଝୀ ମହୁମାଛି ଆକ୍ରମଣରେ ଗତ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ପ୍ରାଣ ହରାଇଥିଲେ । ସେମାନେ ଅତ୍ୟନ୍ତ ଗରିବ ହୋଇଥିବା ଯୋଗୁଁ ସ୍ଥାନୀୟ ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ମୃତକଙ୍କ ପରିବାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ବିଧାୟକ ଶ୍ରୀ ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ବିଜେଡି ବ୍ଲକ ସଦସ୍ୟ ରାଘବ ପ୍ରମୁଖ ଶୁକ୍ରବାର କୁଲାନାଳ ଗାଁକୁ ଯାଇ ମହୁମାଛି ଆକ୍ରମଣରେ ମୃତ ଡମେ ମାଝୀଙ୍କ ସ୍ତ୍ରୀ ସିନ୍ଧୁ ମାଝୀ ଓ ମୃତ ଘାସି ମାଝୀଙ୍କ ସ୍ତ୍ରୀ ସୁନେରୀ ମାଝୀଙ୍କୁ ସମବେଦନା ଜଣାଇବା ସହ ବିଜେଡ଼ି ପକ୍ଷରୁ ଦୁଇ ଭାଇଙ୍କ ଶୁଦ୍ଧିକ୍ରିୟା ପାଇଁ ଗୋଟିଏ ବସ୍ତା ଚାଉଳ ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।


ବିଧାୟକ ଶ୍ରୀ ଦିଶାରୀ ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଏହି ଦୁଇ ଭାଇର ପରିବାରକୁ ବିଧବା ଭତ୍ତା ଓ ଆବାସ ଯୋଜନାରେ ଘର ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିବୁ ବୋଲି ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ଘଡେଇ ମୃତକଙ୍କ ପରିବାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଦୁର୍ଗମ କୁଲାନାଳ ଗାଁରେ ଗତ ସେପ୍ଟେମ୍ବର ୨୫ ତାରିଖରେ କିଛିଲୋକ ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ହଠାତ ମହୁମାଛି ବସା ସଂସ୍ପର୍ଶରେ ଆସି ଯାଇଥିଲେ । ସଂଘବନ୍ଧ ଭାବେ ମହୁମାଛି ଆକ୍ରମଣ କରିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଗାଁ ଲୋକେ ତାଙ୍କୁ ଘରକୁ ବୋହି ଆଣିଥିବା ବେଳେ ଗୁରୁତର ଅବସ୍ଥାରେ ଘାସି ମାଝୀ(୨୩) ଓ ଡମେ ମାଝୀ(୨୭) ମୃତ୍ୟୁ ହୋଇଯାଇଥିଲା ।

jayashree
Leave A Reply

Your email address will not be published.