ଦୁଷ୍କର୍ମ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା କଡ଼ା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବା ସହ ମହିଳାମାନଙ୍କ ଉପରେ ଘଟୁଥିବା ଅପରାଧ ସମ୍ବନ୍ଧିତ ମାମଲା ଉପରେ ପୁଲିସ ଦ୍ୱାରା ଅବଲମ୍ବନ କରାଯିବା ଅନିବାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ କୁହାଯାଇଛି । ଏହି ନିର୍ଦ୍ଦେଶନାମା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ଜାରି ହୋଇଛି ।
ଉତ୍ତରପ୍ରଦେଶ ହାଥ୍‌ରସ୍‌ରେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ସହ ଘଟିଥିବା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସର ଶୀଥିଳତା ଓ କାର୍ଯ୍ୟଶୈଳୀକୁ ନେଇ ଗମ୍ଭୀର ସ୍ଥିତି ଉପୁଜିଥିଲା, ଯେଉଁଥି ପାଇଁ ଜାତୀୟ ସ୍ତରରେ ଆଲୋଚନା ତଥା ସମାଲୋଚନା ହୋଇଛି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଆରୋପ ରହିଥିଲା ଯେ, ମହିଳା ସୁରକ୍ଷା ତଥା ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ନ୍ୟାୟ ପ୍ରଦାନକୁ ନେଇ ଗମ୍ଭୀରତା ପ୍ରକାଶ ପାଉନାହିଁ । ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛି । ଏହି ନିର୍ଦ୍ଦେଶନାମାରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଧିକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବାକୁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶନାମା ଅନୁସାରେ ଏଭଳି ଅପରାଧ ମାମଲାରେ ଅନିବାର୍ଯ୍ୟ ଭାବରେ ଏଫଆଇଆର୍‌ ଦର୍ଜ କରାଯାଉ । ନିୟମ ଅନୁସାରେ ପୁଲିସ ନିଜ ଥାନା ପରିସୀମା ବାହାରେ ଘଟିଥିବା ଘଟଣାରେ ଜିରୋ ଏଫଆଇଆର୍‌ ମଧ୍ୟ ଦର୍ଜ କରି ପାରିବ । ଏଭଳି ଅପରାଧ ମାମଲାରେ ଏଫ୍‌ଆଇଆର୍‌ ଦର୍ଜ କରିବାରେ ବିଫଳ ହୋଇଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇପିସି. ସେକ୍ସନ ୧୬୬ ଅନୁସାରେ ଦଣ୍ଡ ପ୍ରାବଧାନ ରହିଛି । ସିଆର୍‌ପିସି. ସେକ୍‌ସନ ୧୭୩ ରେପ୍‌ ଘଟଣାରେ ଦୁଇ ମାସ ଭିତରେ ତଦନ୍ତ ସଂପୂର୍ଣ୍ଣ ହେବା ବିଷୟ ଉଲ୍ଲେଖ ରହିଛି । ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ଘଟଣାଗୁଡ଼ିକର ଟ୍ରେକ୍‌ କରାଯାଇ ପାରିବ । ଯୌନ ନିର୍ଯାତନା / ଦୁଷ୍କର୍ମ ପୀଡ଼ିତାଙ୍କ ପରୀକ୍ଷଣ ୨୪ ଘଂଟା ଭିତରେ ସମ୍ମତି ସହ କୌଣସି ପଞ୍ଜିକୃତ ମେଡ଼ିକାଲ ପ୍ରାକ୍ଟିସନରଙ୍କ ଦ୍ୱାରା କରାଯିବା ଉଚିତ । ମୃତକାଙ୍କ ଲିଖିତ କିମ୍ବା ମୌଖିକ ବୟାନ ଏକ ସାକ୍ଷ୍ୟ ଭାବେ ଗ୍ରହଣ କରାଯିବ । ଯୌନ ନିର୍ଯାତନା ମାମଲାରେ ଫରେନ୍‌ସିକ୍‌ ସାକ୍ଷ୍ୟ ଠୁଳ କରିବା ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଗାଇଡ଼୍‌ ଲାଇନ୍‌ ଜାରି କରିଛନ୍ତି । ନିୟମ ଅନୁସାରେ ଯଦି ପୁଲିସ ପକ୍ଷରୁ ଏହି ଅନିବାର୍ଯ୍ୟ ଆବଶ୍ୟକତା ପାଳନ କରା ନଯାଏ, ତେବେ ଦେଶରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ପ୍ରଭାବିତ କରିପାରେ । ଏଣୁ ଯଦି ଏଭଳି କିଛି ଦୃଷ୍ଟିଗୋଚର ହୁଏ ତେବେ ଏହାର ତଦନ୍ତ ହେବା ସହ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ତତ୍‌କାଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଧେୟ ।

Leave A Reply

Your email address will not be published.