କଂସାରୀପଡ଼ା ମଦ ଦୋକାନ ପାଖ ଆକ୍ରମଣ ଘଟଣାର ୪ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂସାରୀପଡ଼ା ଇଂଲିସ୍‌ ମଦ ଦୋକାନ ପାଖରେ ଘଟିଥିବା ଆକ୍ରମଣ ଘଟଣାର ୪ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ । ଘଟଣା ସଂପର୍କରେ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ ପାଖାପାଖି ସଂଧ୍ୟା ୭ଟା ସମୟରେ ସହରର ଦୁଇଟି ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଦଳରେ ଗିରଫ୍‌ ହୋଇଥିବା ନିରଜ, ସୁରଜ, ଜିତେନ୍ଦ୍ର, ନିରାକାର ସହ ଅନ୍ୟମାନେ ରହିଥିବା ବେଳେ ଅନ୍ୟ ଦଳରେ ରହିଛନ୍ତି ଟୁନା ଓରଫ୍‌ ତୁଷାରକାନ୍ତ ପାଢ଼ୀ ଓ ଗରିବ ପାଣ୍ଡେ । ତେବେ ସେଦିନର ଗଣ୍ଡଗୋଳରେ ନିରଜ, ସୁରଜ ଓ ନିରାକାର ଖଣ୍ଡିଆ ଖାବରା ହୋଇଥିଲେ । ମୁନା ଓରଫ୍‌ ଆଶୁତୋଷ ପାଢ଼ୀ ୩ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ନିରଜ, ସୁରଜ ଓ ନିରାକାରକୁ ପୂର୍ବ ଦିନର ଝଗଡ଼ାର ବୁଝାମଣା ପାଇଁ ରାଜୀବନଗରକୁ ଡ଼କେଇଲେ । ନିରଜ ହରପାଲ, ସୁରଜ ହରପାଲ, ଜିତେନ୍ଦ୍ର କୁମ୍ଭାର ଓ ନିରାକାର ବାଗ ଅନ୍ୟ କେତେଜଣଙ୍କ ସହ ମାଲଗୋଦାମପଡ଼ାକୁ ଆସି ରାଜୀବନଗର ଅଭିମୁଖେ ବାହାରିଥିଲେ । ରାଜୀବନଗର ଯିବା ବେଳେ ସେମାନେ କଂସାରୀପଡ଼ା ଇଂଲିସ୍‌ ମଦ ଦୋକାନ ପାଖରେ ଟୁନା ଓରଫ୍‌ ତୁଷାରକାନ୍ତ ପାଢ଼ୀ ଓ ଗରବି ପାଣ୍ଡେକୁ ଦେଖିଥିଲେ ଓ ଇଟା, ପଥର, ଲୁହାଛଡ଼ ଦ୍ୱାରା ଆକ୍ରମଣ କରିଥିଲେ । ଫଳରେ ଦୁହେଁ ଗୁରୁତର ଆହତ ଅବସ୍ଥାରେ ଅଚେତ ହୋଇ ପଡ଼ି ଯାଇଥିଲେ । ଟାଉନ୍‌ ପିସିଆର୍‌ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ସେମାନଙ୍କୁ ଭୀମ୍‌ସାର୍‌ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଧଂଜୟ ପାଣ୍ଡେଙ୍କ ଅଭିଯୋଗ ଭିତ୍ତିରେ ଆଦର୍ଶ ଟାଉନ୍‌ ଥାନା କେସ୍‌ ନଂ.୪୧୦/୦୪.୧୦.୨୦୨୦୨, ଧାରା ୩୪୧/୩୦୭/୩୨୬/୩୨୪/୩୪ ଆଇପିସି. ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ସିସିଟିଭି ଫୁଟେଜ୍‌ ତଥା ଅନ୍ୟାନ୍ୟ ତଥ୍ୟ ଭିତ୍ତିରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ୪ ଜଣଙ୍କୁ ଗିରଫ୍‌ କରିଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ମାଲଗୋଦାମପଡ଼ାର ଜିତେନ୍ଦ୍ର ଓରଫ୍‌ ଜିତେନ୍ଦ୍ର କୁମ୍ଭାର(୨୪), ନିରଜ ହରିପାଲ(୧୯), ନିରଂଜନ ବାଗ(୨୧) ଓ ସୁରଜ ହରିପାଲ(୨୨) । ଅଭିଯୁକ୍ତମାନେ ଘଟଣାରେ ବ୍ୟବହାର କରିଥିବା ପଲ୍‌ସର୍‌ ଏନ୍‌ଏସ୍‌-୧୬୦ ବାଇକ୍‌ (ଓଡ଼ି୦୩ଜେ୬୭୮୪) ପୋଲିସ ଦ୍ୱାରା ଜବତ୍‌ ହୋଇଥିବା ବେଳେ ଏକ ବଜାଜ୍‌ ପଲ୍‌ସର-୨୦୦(ଓଡ଼ି୦୩ସି୩୩୬୭) ବାଇକ୍‌ ମାଲଗୋଦାମପଡ଼ା ଚାଷଜମି ନିକଟରୁ ଉଦ୍ଧାର ହୋଇଥିବା କୁହାଯାଇଛି । ବଲାଙ୍ଗିର ଏସ୍‌ଡିପିଓ. ଶ୍ରୀମନ୍ତ ବାରିକ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ବଲାଙ୍ଗିର ଆଦର୍ଶ ଟାଉନ ଥାନା ଆଇଆଇସି. ସଂଗ୍ରାମ କେଶରୀ ପଟ୍ଟନାୟକ ତାଙ୍କ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.