
- ବୌଦ୍ଧକୁ ନକ୍ସଲମୁକ୍ତ କରିବାରେ ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି; ଶାନ୍ତି ଓ ବିକାଶ ବଜାୟ ରଖିବାରେ ଗଣମାଧ୍ୟମର ଯୋଗଦାନ ମୂଲ୍ୟବାନ: ଜିଲ୍ଲାପାଳ
- ମାଓ ବିରୋଧୀ ଅଭିଯାନରେ ବୌଦ୍ଧ ପୁଲିସକୁ ମିଳିଛି ସଫଳତା, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଥଇଥାନ କରାଯାଇଛି: ବୌଦ୍ଧ ଆରକ୍ଷୀ ଅଧୀକ୍ଷକ
ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୁଲିସର ସହଯୋଗରେ ଶନିବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହଠାରେ ଏକ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ନକ୍ସଲମୁକ୍ତ ବୌଦ୍ଧ ଜିଲ୍ଲାରେ ହୋଇଥିବା ବିକାଶମୂଳକ ପରିବର୍ତ୍ତନ, ଶାନ୍ତି ପ୍ରତିଷ୍ଠା, ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ସାମାଜିକ-ଆର୍ଥିକ ପ୍ରଗତିକୁ ଲୋକଲୋଚନକୁ ଆଣିବା । ଏଥିସହ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ଜିଲ୍ଲାର ବିକାଶ ଯାତ୍ରା ଓ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଆଲୋକପାତ କରାଯାଇଥିଲା ।
ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଏହି କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସମାଜ ବିଜ୍ଞାନ ଅଧ୍ୟାପକ ସୌମ୍ୟ ରଞ୍ଜନ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ, ବୌଦ୍ଧ ଜିଲ୍ଲାକୁ ନକ୍ସଲମୁକ୍ତ କରିବାରେ ପ୍ରଶାସନ, ପୁଲିସ, ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ ଓ ଗଣମାଧ୍ୟମର ସାମୂହିକ ଅବଦାନ ରହିଛି। ସରକାରଙ୍କ ଥଇଥାନ ଓ ଜନକଲ୍ୟାଣମୂଳକ ଯୋଜନା ନକ୍ସଲବାଦର ପ୍ରଭାବ ହ୍ରାସ କରିବାରେ ସହାୟକ ହୋଇଛି । ତେବେ ଏହି ସଫଳତାକୁ ସ୍ଥାୟୀ ଭାବେ ବଜାୟ ରଖିବା ସହ ନକ୍ସଲବାଦର ପୁନରାବୃତ୍ତି ରୋକିବା ପାଇଁ ସମସ୍ତଙ୍କୁ ନିରନ୍ତର ସମନ୍ୱିତ ପ୍ରୟାସ କରିବାକୁ ହେବ । କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଛାତ୍ରବୃତ୍ତି ଓ ଆତ୍ମନିଯୁକ୍ତି ସମେତ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ଖବରକାଗଜ, ଟେଲିଭିଜନ୍ ଓ ଡିଜିଟାଲ୍ ଗଣମାଧ୍ୟମ ଜରିଆରେ ସରକାରୀ ଯୋଜନା ଓ ଲୋକାଭିମୁଖୀ ପଦକ୍ଷେପ ସମ୍ପର୍କରେ ଜନସଚେତନତା ବୃଦ୍ଧି କରାଯିବା ଆବଶ୍ୟକ। ଏଥିସହ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ୍ ମାଧ୍ୟମରେ ନିଜ ଅଞ୍ଚଳରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରଶାସନ, ଗଣମାଧ୍ୟମ ଓ ସମାଜର ସମସ୍ତ ବର୍ଗଙ୍କ ସକ୍ରିୟ ସହଯୋଗରେ ବୌଦ୍ଧର ବିକାଶକୁ ଆଗେଇ ନେବା ସହ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷାର ପରିବେଶ ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।
ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନର ସଫଳତା ଓ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ୨୦୨୩ ଜୁନ୍ରୁ ଅଭିଯାନ ଆରମ୍ଭ ହୋଇଥିଲା । ୨୦୨୩ ନଭେମ୍ବରରୁ ୨୦୨୪ ଫେବୃଆରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ଏବଂ ୨୦୨୪ ଏପ୍ରିଲ୍ରେ ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଥିଲା। ଏହି ଅଭିଯାନରେ ଅନେକ ପୁଲିସ କର୍ମଚାରୀ ଗୁଳିମାଡ଼ ଓ ଆଇଇଡି ବିସ୍ଫୋରଣରେ ଆହତ ହୋଇଥିଲେ। ସାହସିକତାର ସହ ଲଢ଼େଇ କରିଥିବା ଯବାନମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସାହସିକତା ପଦକ ଏବଂ ତତ୍କାଳୀନ ଏସ୍ପିଙ୍କ ସମେତ ଅଭିଯାନରେ ସାମିଲ ଅଧିକାରୀମାନଙ୍କୁ ଡିଜିପି ଡିସ୍କ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ସୁରକ୍ଷା ଅଭିଯାନ ଜାରି ରଖି ଏସ୍ଓଜି ଟିମ୍ ବିଭିନ୍ନ ସ୍ଥାନରୁ ମାଓବାଦୀଙ୍କ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲା। ଏଥିସହ ଆତ୍ମସମର୍ପଣ କରିଥିବା ଚାରିଜଣ ମାଓବାଦୀଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଆର୍ଥିକ ସହାୟତା, ତିନି ବର୍ଷିଆ ସ୍ଥାୟୀ ଜମାରାଶି ଓ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରାଯାଇଛି। ସେମାନେ ବର୍ତ୍ତମାନ ଛତିଶଗଡ଼ସ୍ଥିତ ନିଜ ନିଜ ଘରେ ରହୁଥିବାବେଳେ ପୁଲିସ ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖିଛି। ଅନ୍ୟ ଆତ୍ମସମର୍ପଣକାରୀଙ୍କୁ ମଧ୍ୟ ସେମାନଙ୍କ ଗ୍ରାମକୁ ଫେରାଇ ଦିଆଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରି ସେଗୁଡ଼ିକୁ ହିଂସାମୁକ୍ତ ଓ ବିକାଶମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଗ୍ରାମ୍ୟୋଦୟ’ ଯୋଜନା ଅଧୀନରେ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ।
ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଥିଲେ ଯେ, ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ଯୋଗାଯୋଗର ସେତୁ ଭାବେ ‘ବାର୍ତ୍ତାଳାପ’ କାର୍ଯ୍ୟକ୍ରମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ନକ୍ସଲ ହିଂସାରୁ ମୁକ୍ତ ଅଞ୍ଚଳଗୁଡ଼ିକରେ ବିକାଶର ନୂତନ ଧାରାକୁ ଲୋକଲୋଚନକୁ ଆଣିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ହିଂସା ପରବର୍ତ୍ତୀ ସମୟରେ ଭିତ୍ତିଭୂମି ବିକାଶ, ସାମାଜିକ ସୁରକ୍ଷା, ଡିଜିଟାଲ୍ ଶାସନ ଓ ପ୍ରଶାସନିକ ସମନ୍ୱୟ ଉପରେ ଗୁରୁତ୍ୱ ଦେବା ସହ ଶାନ୍ତି ବଜାୟ ରଖିବା ଏବଂ ଜନସାଧାରଣଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ପ୍ରଶାସନିକ ରଣନୀତି ଓ ସୁରକ୍ଷା ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସହ ବିକାଶମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଉପରେ ସେ ମତ ରଖିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ କହିଥିଲେ, ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା। ନକ୍ସଲବାଦର ପ୍ରଭାବ ହ୍ରାସ ପରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ‘ଗ୍ରମ୍ୟୋଦୟ’ କାର୍ଯ୍ୟକ୍ରମ ଅଧୀନରେ ନକ୍ସଲ ପ୍ରଭାବିତ ଗ୍ରାମଗୁଡ଼ିକରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣତା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହ ସେମାନେ ବିକାଶ ପ୍ରକ୍ରିୟାରେ ସ୍ୱାଧୀନ ଭାବେ ଭାଗୀଦାର ହୋଇପାରିବେ । ନକ୍ସଲବାଦ ପରବର୍ତ୍ତୀ ସମୟରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରି ଜିଲ୍ଲା, ରାଜ୍ୟ ଓ ଦେଶର ବିକାଶକୁ ଆଗେଇ ନେବାରେ ‘ବାର୍ତ୍ତାଳାପ’ ଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଶ୍ରୀ ବିଦ୍ୟାପତି ପଣ୍ଡା ନକ୍ସଲବାଦର ଉତ୍ପତ୍ତି, ବିସ୍ତାର ଓ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ନକ୍ସଲ ହିଂସା ଯୋଗୁଁ ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଲୋକମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ଜୀବିକାର ସୁଯୋଗରୁ ବଞ୍ଚିତ ହୋଇଥିଲେ । ଏହାର ମୁକାବିଲା ପାଇଁ ସୁରକ୍ଷା ପଦକ୍ଷେପ ସହ ବିକାଶମୂଳକ ଯୋଜନା, ଥଇଥାନ, ଦକ୍ଷତା ବିକାଶ ଓ ଆତ୍ମନିଯୁକ୍ତିକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ । ନକ୍ସଲମୁକ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ବଜାୟ ରଖିବା, ଆଦିବାସୀଙ୍କ ଅଧିକାର ଓ ସାମାଜିକ ପରିଚୟର ସୁରକ୍ଷା ସହ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବାରେ ପ୍ରଶାସନ ଓ ଗଣମାଧ୍ୟମର ସମନ୍ୱିତ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ଅଧ୍ୟାପକ ଶ୍ରୀ ନାୟକ ନକ୍ସଲବାଦର ଉତ୍ପତ୍ତି ଓ ବିସ୍ତାରର କାରଣ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ, ଭୌଗୋଳିକ ବିଚ୍ଛିନ୍ନତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ଅଭାବ ଏବଂ ଆଦିବାସୀ ସମାଜର ଅବହେଳା ନକ୍ସଲବାଦର ପ୍ରସାରକୁ ସୁଯୋଗ ଦେଇଥିଲା । ନକ୍ସଲବାଦର ମୁକାବିଲା ପାଇଁ ସୁରକ୍ଷା ଅଭିଯାନ ସହ ଶିକ୍ଷା, ଯୋଗାଯୋଗ, ଦକ୍ଷତା ବିକାଶ, ଆତ୍ମନିଯୁକ୍ତି ଓ ପୁନର୍ବାସ ଭଳି ପଦକ୍ଷେପର ସମନ୍ୱୟ ଆବଶ୍ୟକ । ନକ୍ସଲମୁକ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ବଜାୟ ରଖିବା ସହ ଆଦିବାସୀଙ୍କ ସମ୍ମାନ, ପରିଚୟ ଓ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ପ୍ରକ୍ରିୟାରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ସହ ଗଣମାଧ୍ୟମର ପ୍ରଭାବଶାଳୀ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।
ଓଡ଼ିଶା ପୁଲିସ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ନକ୍ସଲବାଦର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ରଣନୀତି, ମିଳିତ ଅଭିଯାନ ଓ ଆତ୍ମସମର୍ପଣ ତଥା ପୁନର୍ବାସ ପଦକ୍ଷେପ ସମ୍ପର୍କରେ ତଥ୍ୟଗତ ଉପସ୍ଥାପନା ଦିଆଯାଇଥିଲା। ୨୦୨୪ ଏପ୍ରିଲ୍ ୨୫ରେ ମାତାକୁପା ଜଙ୍ଗଲରେ ହୋଇଥିବା ଅଭିଯାନରେ ଦୁଇଜଣ ମାଓବାଦୀ ନିହତ ହୋଇଥିବା ଏଥିରେ ସୂଚନା ଦିଆଯାଇଥିଲା। ଏଥିସହ ଗୋଷ୍ଠୀ ପୁଲିସ ବ୍ୟବସ୍ଥା ଓ ମୌଳିକ ସୁବିଧାର ବିକାଶ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଜିତିବା ସହ ଜିଲ୍ଲାରେ ଶାନ୍ତି ଓ ନକ୍ସଲମୁକ୍ତ ସ୍ଥିତି ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ତଥା ‘ବାର୍ତ୍ତାଳାପ’ର ନୋଡାଲ୍ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।
ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ସଞ୍ଚାର ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି କର୍ମଶାଳାରେ ସାମ୍ବାଦିକମାନଙ୍କ ସହ ଏକ ଆଲୋଚନାମୂଳକ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ସିଧାସଳଖ ଆଲୋଚନା କରିଥିଲେ।