jayashree

ଲୋଇସିଂହା କପ ଫୁଟବଲ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୧୯ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ” ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍ ଲୋଇସିଂହା ଓ ବୌଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋଇସିଂହା ଏଥଲେଟିକ ଆସୋସିଏସନ୍ ୪-୧ ଗୋଲରେ ବୌଦ ଏକାଦଶକୁ ହରାଇ ବିଜେତା ହୋଇଥିଲା । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ ବିଜୟ କୁମାର ରଣା, ଦେବାଶିଷ ବାଗ, କରୁଣାକର ପଧାନ, ସୁଧାଂଶୁ ସେଟ୍, ସଞ୍ଜୀବ ମହାରଣା ଖେଳ ପରିଚାଳନା କରିଥିଲେ । ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ବେହେରା କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ବେହେରା, ସମ୍ପାଦିକା ସ୍ମିତା ମିଶ୍ର, ସଦସ୍ୟ ବିଭୂତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟାଁ, ଉତ୍ତର କୁମାର ହେର୍ଣ୍ଣା, ସରପଞ୍ଚ ନବକିଶୋର ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଆସନ୍ତା ୨୦ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଆଦିବାସୀ ନେତା ମନୋଜ ବିଶି ପ୍ରଶାନ୍ତ ବାଗଙ୍କ ତରଫରୁ ପ୍ରତିଯୋଗିତାର ପ୍ରଥମାର୍ଦ୍ଧ ଗୋଲ ପାଇଁ ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସକାଶେ ଘୋଷଣା କରାଯାଇଥିଲା । ଆସନ୍ତାକାଲିର ପ୍ରତିଯୋଗିତା ଫୁଲବାଣୀ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ସରୋଜ ବିଶ୍ଵାଳ, ଶିବ ଅଗ୍ରୱାଲ, ଦେବବ୍ରତ ବିଶ୍ଵାଳ, ମୋହିତ ମିଶ୍ର, ବୁଲୁ ବହିଦାର, ପ୍ରଦୀପ ବଗର୍ତ୍ତି, ଭାଗବତିଆ ଭୋଇ, ରଞ୍ଜନ ବେହେରା, ସୁଧାଂଶୁ ଶେଖର ପାଣ୍ଡିଆ, ପ୍ରକାଶ ମହାରଣା, ଅଞ୍ଜନ ବେଶ୍ରା, ନଯୁ ଖାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.