
- ୧୪୦ଟି ପ୍ରକଳ୍ପ ପ୍ରଦର୍ଶିତ, ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଯୋଗଦାନ
ବଲାଙ୍ଗିର, (କେପିଏନ୍ଏସ୍) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା ଓ ଉଦ୍ଭାବନୀ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ଏକ ଆନ୍ତର୍ବିଦ୍ୟାଳୟ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି । ଏହି ମେଳାରେ ପ୍ରାୟ ୧୪୦ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଶିଶୁ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳାକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିଶୁ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପରିଚାଳନା କମିଟିର ସମ୍ପାଦକ ଗୋପାଳକୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ବେଦବାକ, ସଭ୍ୟ ଶିରୀଶଚନ୍ଦ୍ର ହୋତା ଓ ବାଦଲ ମହାକୁର ଉପସ୍ଥିତ ଥିଲେ । ବିଜ୍ଞାନମେଳାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଉପରେ ଆଧାରିତ ନିଜସ୍ୱ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଆନନ୍ଦ କୁମାର ସାହୁ, ଦୀପାଞ୍ଜଳୀ ଯୋଷୀ, ଦିବ୍ୟସିଂହ ସାହୁ, ଜୟନ୍ତ ମେହେର ଓ ସମ୍ବିତ ଥନାପତି ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଭିଭାବିକାମାନେ ମେଳା ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜାଣିବା ସହ କୁନି ବିଜ୍ଞାନୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତୀଶ ପ୍ରଧାନଙ୍କ ମାର୍ଗଦର୍ଶନ ଏବଂ ବିଜ୍ଞାନ ବିଭାଗର ଶିକ୍ଷକ-ଶିକ୍ଷିକାଙ୍କ ତତ୍ତ୍ୱାବଧାନରେ ଅନ୍ୟ ସମସ୍ତ ଶିକ୍ଷକ-ଶିକ୍ଷିକା ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।