
- “ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସହାୟକ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଉଦ୍ଘାଟନ କରିଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧିତ୍ସା ମନୋଭାବ, ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପ୍ରଦର୍ଶନୀରେ ବିଦ୍ୟାଳୟର କନିଷ୍ଠ ବିଭାଗରେ ୩୧ ଜଣ ଓ ବରିଷ୍ଠ ବିଭାଗରେ ୨୯ ଜଣ ଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବୈଜ୍ଞାନିକ ଉପକରଣ, ଆକର୍ଷଣୀୟ ମଡେଲ୍ ଓ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଶକ୍ତିର ସଦୁପଯୋଗ, ଆଧୁନିକ ବିଜ୍ଞାନ ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା ଭଳି ବିଭିନ୍ନ ବିଷୟକୁ ଆଧାର କରି ଛାତ୍ରୀମାନେ ନିଜ ନିଜର ପ୍ରକଳ୍ପ ଉପସ୍ଥାପନ କରିଥିଲେ । ନିଜେ ପ୍ରସ୍ତୁତ କରିଥିବା ମଡେଲ୍ ଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ସମ୍ପର୍କରେ ମଧ୍ୟ ସେମାନେ ସୁନ୍ଦର ଭାବେ ବୁଝାଇଥିଲେ । ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ମିଶ୍ର ଓ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସାହୁ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । କନିଷ୍ଠ ବିଭାଗରେ ପାୟଲ ପଟ୍ଟନାଏକ ପ୍ରଥମ, ସୋମାଳିକା ପଟ୍ଟନାଏକ ଦ୍ଵିତୀୟ, ସୁସ୍ମିତା କୁମ୍ଭାର ତୃତୀୟ, ରିୟା ପୃଷ୍ଟି ଚତୁର୍ଥ ଓ ଦିପ୍ତିମୟୀ ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସ୍ମୃତିଶିଖା କୁମ୍ଭାର ପ୍ରଥମ, ନମ୍ରତା ତାଣ୍ଡି ଦ୍ଵିତୀୟ, ସଂସ୍କୃତି ସାହୁ ତୃତୀୟ, ଆରତୀ ସାହୁ ଚତୁର୍ଥ ଓ ଶ୍ରୀୟା ଶେଫାଳି ସାହୁ ପଞ୍ଚମ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଓ ଟ୍ରଫି ପୁରସ୍କାର ସ୍ୱରୂପ ଗ୍ରହଣ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତି ପୂଝାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଦେବ ଓ ସବିତା ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସୁମନାଞ୍ଜଳି ସାହୁ, ସ୍ୱରୂପା ହୋତା, ଧାରାଶ୍ରୀ ଧୀମହୀ ବେହେରା, ବିନ୍ଦୁରେଖା ସାହୁ, ଜସ୍ମିନ ସାହୁ, ଲିଲି ଭୋଇ, ପୂଜା ଦାଶ, ପ୍ରୀତିସ୍ମିତା ପୋଢ଼ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।