ନିଖିଳ ଓଡିଶା ଆଶାକର୍ମୀ ସଂଘର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ଆଶାକର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବା ବେଳେ ଦୂର୍ଯ୍ୟୋଧନ ବିଶ୍ଵାଲ ସଭା ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପାଟଣାଗଡ଼ ତଥା ଉପଖଣ୍ଡରେ ଥିବା ଆଶାକର୍ମୀମାନେ ପାଉଥିବା ପ୍ରୋତ୍ସାହନ ରାଶି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ବାଟମାରଣା ହେଉଥିବା ନେଇ ଆଲୋଚନା ହେବା ସହ ଏହାର ତୁରନ୍ତ ସମାଧାନ ପାଇଁ ସଂଘ ତରଫରୁ ଏକ ଟିମ୍ ସିଡିଏମ୍‌ଓ ଓ ଡିପିଓଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରାଯିବ ବୋଲି ସଭାପତି ଶ୍ରୀ ପ୍ରଧାନ କହିଥିଲେ । ନିଖିଳ ଓଡିଶା ଆଶାକର୍ମୀ ସଂଘ ବିଧିବଦ୍ଧ ସାଂଗଠନିକ ଭାବେ ପାଟଣାଗଡ଼ ଆଶାକର୍ମୀମାନେ ସଂଘ ସହିତ ସାମିଲ ହୋଇଥିଲେ । ଆଗାମୀ ଦିନରେ ସଂଗଠନକୁ ଆହୁରି ମଜଭୂତ କରିବା ସହ ଏକଜୁଟ ହୋଇ ଅଧିକାର ପାଇଁ ଲଢେଇ ନିମନ୍ତେ ଆଶାକର୍ମୀମାନଙ୍କୁ ସଂଘ ତରଫରୁ କୁହାଯାଇଥିଲା । ଏହି ସଭାରେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସେଠ, ଜିଲ୍ଲା ସଂପାଦିକା ଉର୍ମି ଗୁପ୍ତା, ଜିଲ୍ଲା ସହ ସମ୍ପାଦିକା ପଦ୍ମନୀ ସେଠ, ଉପଦେଷ୍ଟା ସାଏବୁ ନନ୍ଦଙ୍କ ସହ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଆଶାକର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.