ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରର ଦିବଙ୍ଗତ ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ମନୋଜ ପଣ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ତରଫରୁ ଏକ ସଶ୍ରଦ୍ଧ ନିବେଦନ ‘ନିଜ ବଗିଚାରେ ମନୋଜ’ ପ୍ରସ୍ତୁତ ହୋଇଛି । ଅନୁଷ୍ଠାନର ସମ୍ପାଦକ ଭାଗୀରଥି ମିଶ୍ରଙ୍କ ପରିକଳ୍ପନା ଓ କୋଷାଧକ୍ଷ ମୄଗେଶ ବୈଷ୍ଣବ ପାଣିଗ୍ରାହୀଙ୍କ ସୁନ୍ଦର ଉପସ୍ଥାପନାରେ ପ୍ରସ୍ତୁତ ଏହି କାର୍ୟ୍ୟକ୍ରମରେ ମନୋଜ ପଣ୍ଡାଙ୍କ ଗଳ୍ପ ସଂସାର ଓ ତାଙ୍କ କୃତି ଓ ସମ୍ମାନ ସମ୍ପର୍କରେ ଅବଗତ କରାଯାଇଛି । ପ୍ରାରମ୍ଭରେ ଗାଳ୍ପିକଙ୍କ ସାରଳା ପୁରସ୍କାର ଗ୍ରହଣ କଲା ସମୟର ଭାଷଣ ଓ ପରେ ପରେ ଅନୁଷ୍ଠାନର ଉପ ସଭାପତି ଡ.ସନ୍ତୋଷ କୁମାର ରଥ ଗାଳ୍ପିକଙ୍କ ସ୍ମୃତି ଚରଣ କରିଛନ୍ତି । ଅଧ୍ୟାପକ ବିଶ୍ୱନାଥ ସାହୁ, ଗାଳ୍ପିକ ମଳୟ ମିଶ୍ର, ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ଗାଳ୍ପିକ ନାରାୟଣ ପଣ୍ଡା, ମନୋଜ ପଣ୍ଡାଙ୍କ ଗଳ୍ପ ସଂସାର ଓ ତାଙ୍କ ସହ ବିତିଥିବା ଅନୁଭବ ଅନୁଭୂତିକୁ ମନେ ପକାଇ ଗାଳ୍ପିକ ମନୋଜ ଆମ ସମୟର ଏକ ନିଆରା ଓ ସ୍ୱତନ୍ତ୍ର ଶବ୍ଦ ଓ ସ୍ୱରର ସମାହାର, ତାଙ୍କ ଗଳ୍ପରେ ନୂତନତା ଓ କିଛି ସ୍ୱତନ୍ତ୍ର ଶବ୍ଦ ଓ ଭାବ ପ୍ରୟୋଗ ପାଇଁ ପାଠକଙ୍କ ମନକିଣି ପାରୁଥିଲେ ବୋଲି କହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରସ୍ତୁତ କାର୍ୟ୍ୟକ୍ରମଟି ଗାଳ୍ପିକ ମନୋଜଙ୍କ ପ୍ରିୟ ପାଠକ ଓ ଶୁଭେଛୁ ତଥା ତାଙ୍କ ଅବର୍ତ୍ତମାନରେ ତାଙ୍କୁ ମନେପକାଉ ଥିବା ପ୍ରିୟଜନଙ୍କ ଦ୍ୱାରା ବେଶ ଆଦୃତ ହୋଇଛି ।