ସଇଁନ୍ତଲାରେ ବ୍ଳକ ଅଧ୍ୟକ୍ଷ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ହେବ କି ଲଢେଇ : ଗାଁ ଗାଁରେ ବିଜେପିର ସାଙ୍ଗଠନିକ ବୈଠକ, ଏଯାଏଁ ବିଜେଡି ଦଳ ନେତାଙ୍କ ଦେଖାନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ଗାଁ ଗାଁରେ ଏବେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଦଳ ମଧ୍ୟ ତାର କର୍ମୀମାନଙ୍କୁ ନେଇ ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ଏପଟେ ବିଜେଡି କର୍ମୀମାନଙ୍କ ଏ ଦିଗରେ ଏଯାଏଁ ତତ୍ପରତା ଦେଖିବାକୁ ମିଳୁନାହିିଁ । ତେବେ ପୁର୍ବରୁ ସଇଁନ୍ତଲା ନିର୍ବାଚନ ମଣ୍ଡଳୀ ବଲାଙ୍ଗିର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିଲା । ଏଠାରୁ ରମେଶ ଚନ୍ଦ୍ର ସିଂ ଭୋଇ, ସୁବାଷ ଚନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ପଣ୍ଡା, ରାଧାକାନ୍ତ ପଣ୍ଡା, ସୁରେନ୍ଦ୍ର ସିଂ ଭୋଇ, ଯଜ୍ଞଶ୍ୱର ବାବୁ, କଳିକେଶ ନାରାୟଣ ସିଂଦେଓ ପ୍ରମୁଖ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ତେଣୁ ସଇଁନ୍ତଲାର ଏକ ସ୍ଵତନ୍ତ୍ର ପ୍ରାଧାନ୍ୟତା ରହିଛି । ସୂଚନା ମତେ, ଗତ ୨୦୦୯ ମସିହାରେ ସଇଁନ୍ତଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମିଶି ଯାଇଥିଲା । ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଶାସକ ବିଜେଡି ଦଳକୁ ମାତଦେଇ ବିଜେପି ଏଠାରେ ସମସ୍ତ ୩ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । ଏଣୁ ଏଥର ମଧ୍ୟ ପୁଣି ଥରେ ବିଜେପି ଏଠାରେ ନିଜ ଗଡ଼ ରକ୍ଷା କରିବ ବୋଲି ଆଶାବାଦୀ ରହିଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ମହେନ୍ଦ୍ର ଠାକୁର କହିଛନ୍ତି ଯେ, ବିଜେପିର ନିଶ୍ଚିତ ଭାବେ ସଙ୍ଗଠନ ସୁଦୃଢ ହେବା ସହ ଲୋକଙ୍କ ସମର୍ଥନ ଦଳ ଉପରେ ରହିବ । ବିଜେପିର ବିଜୟ ବାନା ଉଡିବ ବୋଲି ସେ କହିଛନ୍ତି । ଅନ୍ୟପଟେ ସଇଁନ୍ତଲା ବ୍ଳକରେ ବିଭିନ୍ନ ଗ୍ରାମରେ ବିଜେପି ପକ୍ଷରୁ ଆଗୁଆ ସଭା ସମିତି, ସାକ୍ଷାତ ଆଲୋଚନାକୁ ଜୋରଦାର କରାଯାଇଛି । ୨୦୧୪ ମସିହାରେ ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ଏଥର ପୁଣି ମଙ୍ଗୁଆଲ ସାଜି ବିଭିନ୍ନ ପଞ୍ଚାୟତରେ ସଭା ସମିତି ଆୟୋଜନ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଶ୍ରୀ ଠାକୁରଙ୍କ ଉଦ୍ୟମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳ ବ୍ୟାପକ ପ୍ରସାର ପ୍ରଚାର ସତ୍ତ୍ୱେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିଟିଲାଗଡ଼, ସଇଁନ୍ତଲା ଓ ଗୁଡଭେଲା ବ୍ଲକରେ ବିଜେପି ପ୍ରଥମ ଥର ପାଇଁ ୮ଟି ରୁ ୬ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । ସଇଁନ୍ତଲା ଓ ଗୁଡଭେଲା ବ୍ଳକରେ ବିଜେପି ସମସ୍ତ ୫ଟି ଆସନ ଦଖଲ କରିଥିବା ବେଳେ ବିଧାୟିକା ଟୁକୁନି ସାହୁଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ ଟିଟିଲାଗଡ଼ ବ୍ଳକର ୩ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ହାତେଇ ନେଇଥିଲା। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଗତ ଥର କଂଗ୍ରେସ ହାତରେ ଥିବା ବେଳେ ବିଜେପି ଦଳ ଚଳିତ ପଞ୍ଚାୟତ ନିର୍ବାଚନରେ ଅଧ୍ୟକ୍ଷ ପଦ ନିଶ୍ଚିତ ଭାବେ ଦଖଲ କରିବ ବୋଲି ମଧ୍ୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ କାହାର ମୁଣ୍ଡରେ ହାତୀ ସୁନାର କଳସ ଢ଼ାଳୁଛି, ତାହାକୁ ନେଇ ଲୋକଙ୍କ ଅପେକ୍ଷା ରହିଛି । ଅନ୍ୟପଟେ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀ ମାନଙ୍କ ଦେଖା ଦର୍ଶନ ମିଳୁ ନଥିବା ମଧ୍ୟ ନଜରକୁ ଆସିଛି । ଅପର ପକ୍ଷରେ ବିଜେପି ଓ କଂଗ୍ରେସ ସମସ୍ତ ଆସନ ହାତେଇବା ପାଇଁ ବିଭିନ୍ନ ରଣ କୌଶଲ କରିବାରେ ଲାଗିଛନ୍ତି । ତେଣୁ ଏଥର ପଞ୍ଚାୟତ ନିର୍ବାଚନ ଏଠାରେ ରୋଚକ ହେବ ବୋଲି ବିଭିନ୍ନ ସ୍ଥାନରେ ଅନେକ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.