ନୂତନ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶ ପ୍ରହରୀ ନାମ ଯଜ୍ଞ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ ଅନ୍ତର୍ଗତ ପଟୁଆପାଲି ପଂଚାୟତ ପଟୁଆପାଲି ଗ୍ରାମରେ ନବନିର୍ମିତ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଗତକାଲି ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯରଇଛି । ଗତକାଲି ଦିବା ୧୧ଘଣ୍ଟା ସମୟରେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଓ ସରପଂଚ ଶ୍ରୀମତୀ ଶାନ୍ତିଲତା ବସ୍ତିଆ ତଥା ସମିତି ସଭ୍ୟାଙ୍କ ଉପସ୍ଥିତିରେ ନୂତନ ମଣ୍ଡପ ଉଦ୍‌ଘାଟନ ହୋଇ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ଦିବା ୧ଘଣ୍ଟା ୦୫ମିନିଟ୍‌ ସମୟରୁ ନାମ ସଂକୀର୍ତ୍ତନ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ପଟୁଆପାଲି ନାମ ସଂକୀର୍ତ୍ତନ ଆରମ୍ଭ କରିଥିଲେ । କର୍ତ୍ତା ଭାବେ ରବି ବସ୍ତିଆ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାନ୍ତିଲତା ବସ୍ତିଆ ପୂଜା କାର୍ଯ୍ୟ ତୁଲାଉଛନ୍ତି । ସମସ୍ତ ଗ୍ରାମବାସୀଙ୍କ ସହଯୋଗ ତଥା ଆପ୍ରାଣ ଉଦ୍ୟମ ବଳରେ ପ୍ରତିଦିନ ସମସ୍ତ ଗ୍ରାମବାସୀ, ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଛି । ଆଖପାଖ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁ ନୂତନ ମଣ୍ଡପରେ ହରେକୃଷ୍ଣ ମହାମନ୍ତ୍ର ଶ୍ରବଣ କରି, ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି, ଅନ୍ନଛତ୍ରରେ ମହାପ୍ରସାଦ ସେବନ କରି ବେଶ ଆନନ୍ଦ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ପଟୁଆପାଲି ଯୁବଗୋଷ୍ଠୀ ତଥା ବୁଦ୍ଧିଜୀବୀଙ୍କ ଆପ୍ରାଣ ପରିଶ୍ରମରୁ ନାମ ଯଜ୍ଞ ଓ ଅନ୍ନଛତ୍ର ସୂଚାରୁରୂପେ ପରିଚାଳିତ ହେଉଛି । ଆସନ୍ତାକାଲି ନାମ ଯଜ୍ଞ ପୂର୍ଣ୍ଣାହୂତୀ ହେବ ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.