ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଚାରା ରୋପଣ ସହ ଜନ ସଚେତନତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଦୃତ ସହରୀକରଣ, ଶିଳ୍ପାୟନ ଓ ଜନସଂଖ୍ୟା ବୃଦ୍ଧି ସହ ଆବଶ୍ୟକୀୟ ମନୁଷ୍ୟ ଚାହିଦା ବୃଦ୍ଧି ଯୋଗୁଁ ପରିବେଶ ଦିନକୁ ଦିନ ଦୃତ ଗତିରେ ବିଷାକ୍ତ ହେବାରେ ଲାଗିଛି । ଦିନକୁ ଦିନ ଜୀବଜନ୍ତୁଙ୍କ ସମେତ ପ୍ରାକୃତିକ ପରିବେଶ ମଧ୍ୟ ମରଣମୁହଁକୁ ଠେଲି ହୋଇଯାଉଛି । ମଣିଷର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବା ସାଙ୍ଗକୁ ବନ୍ୟଜନ୍ତୁ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଗୁରୁତର ହୋଇପଡୁଛନ୍ତି । ଅବକ୍ଷୟ ମୁଖେ ପୃଥିବୀ । ପ୍ରକୃତିର ନିଷ୍ଠୁର ପ୍ରଭାବ ଯୋଗୁଁ ଘଟି ଚାଲିଥିବା ପ୍ରାକୃତିକ ଦୁର୍ବିପାକ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇପଡିଛି । ସମଗ୍ର ମାନବ ଜାତି ପାଇଁ ପରିବେଶର ସୁରକ୍ଷା ବର୍ତ୍ତମାନ ଏକ ଆହ୍ବାନ ହୋଇ ପଡ଼ିଛି । ଧୀରେ ଧୀରେ ସମସ୍ତେ ପରିବେଶ ସୁରକ୍ଷା ନିମନ୍ତେ ସଚେତନ ହେଉଛନ୍ତି । ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବୁଦ୍ଧିଜୀବୀ ପକ୍ଷରୁ ପରିବେଶର ସୁରକ୍ଷା ନିମନ୍ତେ ଗଭୀରତାର ସହ ଅନେକ ପ୍ରୟାସ କରୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ସଂଗଠନ ମଧ୍ୟ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି । ପରିବେଶ ସୁରକ୍ଷା ନିମନ୍ତେ ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଉଛି । କେବଳ ବୃକ୍ଷ ରୋପଣ ନୁହେଁ ଲଗାଯାଇଥିବା ଚାରାର ଯତ୍ନବି ବର୍ଷ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ନିଆଯିବା ସହ ବୃକ୍ଷ ରୋପଣ ନିମନ୍ତେ ଅଞ୍ଚଳବାସୀଙ୍କୁ ଅନେକ ସମୟରେ ସଚେତନ ମଧ୍ୟ କରାଯାଉଛି । ବିଭିନ୍ନ ପାରମ୍ପାରିକ ଉତ୍ସବ ପାଳନ ଅବସରରେ ଅଭିନବ ଢ଼ଙ୍ଗରେ ଉପହାର ସ୍ବରୂପ ଚାରାଦାନର ପରମ୍ପରା ଅନୁଷ୍ଠାନ ପକ୍ଷରୁ ସୃଷ୍ଟି କରାଯାଇଛି । ବିବାହ ଉତ୍ସବ, ଶ୍ରାଦ୍ଧ ଦିବସ ଏବଂ ଜନ୍ମଦିନ ପାଳନ ଅବସରରେ ଅନୁଷ୍ଠାନ ପକ୍ଷରୁ ଚାରା ବଣ୍ଟନ କରିବା, ଚାରା ରୋପଣ କରିବା ଭଳି କାର୍ଯ୍ୟକ୍ରମ କରି ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗରଣ କରାଯାଉଛି । ଏହିବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ କାହ୍ନା ଗୌଡ, ମୋଚିରାମ ବେହେରା, କୈଳାସ ସେଠୀ, ଅନିଲ ସେଠୀ, ଦୀପକ ଗୌଡ, ବି ଦେବାଶିଷ ରେଡ୍ଡୀ ଓ ଶୁଭମ୍ ଗୌଡ ପ୍ରମୁଖ ଗ୍ରାମର ବିଭିନ୍ନ ଜାଗାରେ ଚାରା ରୋପଣ କରିବା ସହ ପୁରୁଣା ବୃକ୍ଷର ରକ୍ଷଣା ବେକ୍ଷଣ କାର୍ଯ୍ୟ ଜାରି ରଖିଛନ୍ତି । ଯୁବଗୋଷ୍ଠୀଙ୍କ ଏହି ଭଳି ମନୋବୃତିକୁ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା, ସଭାପତି ଓ ସମ୍ପାଦକଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଂଶସା କରାଯାଇଛି ।

Leave A Reply

Your email address will not be published.