ତହସିଲ ଅଫିସ୍‌ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ୨୦୧୯-୨୦ ବର୍ଷର ପ୍ରଧାମନ୍ତ୍ରୀ ଫସଲ ବୀମାର କୃଷି ବୀମାରାଶି ପାଇ ନ ଥିବା ଯୋଗୁଁ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଚାଷୀ ମାନଙ୍କ ଦ୍ୱାରା ଗଣଧାରଣା ଆଜି ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଶତାଧିକ ଚାଷୀମାନେ ବୀମା ରାଶି ପାଇ ନଥିବାରୁ ଲକ୍ଷେ ବାଗଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଏହି ଧାରଣା ପୂର୍ବରୁ ଚାଷୀମାନେ କଂଟାବାଂଜି ତହସିଲଦାର ଅଶୋକ ମାଝୀଙ୍କୁ ବୀମା ରାଶି ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ପ୍ରଦାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ନେବାକୁ ଧମକ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପଂଚାୟତର ଚାଷୀମାନେ ବୀମା ରାଶି ପ୍ରଦାନ ଦାବୀ କରି ଗଣ ଧାରଣାରେ ସାମିଲ ଥିଲେ । ଏହି ଗଣ ଧାରଣାରେ ନୃପ ମାଝୀ, କୁମର ପୁଟେଲ, ଜଗବନ୍ଧୁ ବନଛୋର, ବିମଲ କୁମାର ଭାଟି ସହ ଅନ୍ୟ ବହୁ ଚାଷୀ ସାମିଲ ଥିଲେ । ପରେ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି ।

Leave A Reply

Your email address will not be published.