ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଜରୁରୀ ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କରୋନା ସଂକ୍ରମଣର ଉଦ୍‌ବେଗଜନକ ସ୍ଥିତିକୁ ଦେଖି ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ ନେଇ ସାରିଛି ଓ ନିତିଦିନ ବଲାଙ୍ଗିର ସହରରେ ଏକାଧିକ ବହୁମୂଲ୍ୟ ଜୀବନ ନେଉଛି । ଆଗାମୀ ଦିନରେ ଆମ୍ଭେମାନେ ମଧ୍ୟ କରୋନାର ଶିକାର ହେବାର ସ‌ମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି । ଏଣୁ ବର୍ତ୍ତମାନ ବହୁମୂଲ୍ୟ ଜୀବନ ସୁରକ୍ଷିତ ରଖିବା ପାଇଁ ବଲାଙ୍ଗିର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ଏହି କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା ୨୫ ତାରିଖ ଶୁକ୍ରବାର ଠାରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ଔଷଧ, କିରାନା, ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର, ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନଗୁଡିକ ସକାଳ ଛଅ ଘଣ୍ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ଏଥି ସହିତ ହୋଟେଲ ଗୁଡିକ ସକାଳ ୭ ଘଣ୍ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି । ଏଣୁ ସମସ୍ତ ବଲାଙ୍ଗିରବାସୀଙ୍କୁ ଏହି ମହାମାରୀ ପରିସ୍ଥିତିରେ ସମସ୍ତେ ଏକ ହୋଇ କରୋନା ମୁକ୍ତ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.