
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସେ ଏହି ଅବସରରେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଘରେ ଥିବା ପିଲାମାନଙ୍କୁ ବ୍ୟବସ୍ଥିତ ଶିକ୍ଷାଦାନ ପ୍ରଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିବା ସହ କେହି ଛାତ୍ରଛାତ୍ରୀ ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନ ହେବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଉପସ୍ଥିତ ଅଧିକାରୀଙ୍କୁ ଛାତ୍ରଛାତ୍ରୀ ତଥା ଅଭିବାବକ ମାନଙ୍କ ସହ ମତ ବିନିମୟ ପୂର୍ବକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ, ସମୃଦ୍ଧ ଓ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ପ୍ରଶଂସନୀୟ ତଥା ଉଲ୍ଲେଖନୀୟ କାର୍ଯ୍ୟହେତୁ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକକୁ ପ୍ରଶଂସା କରିବା ସହ ସମ୍ପୃକ୍ତ ବ୍ଲକର ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଡୁଙ୍ଗୁରିପାଲି ଓ ସୋନପୁର ବ୍ଲକରେ ଏହି କାର୍ଯ୍ୟକ୍ରମକୁ ଆହୁରି ସମୃଦ୍ଧ କରିବା ନିମନ୍ତେ ବ୍ଲକ ଅନ୍ତର୍ଗତ ଶିକ୍ଷାବିଭାଗରେ କାର୍ଯ୍ୟରତ ଅଧିକାରୀ ଆନ୍ତରିକତା ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି, ପୁନଶ୍ଚ ତରଭା ଓ ବିନିକା ବ୍ଲକରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଭାଗୀୟ ଅଧିକାରୀ ପ୍ରମୁଖ ବିଶେଷ ଯତ୍ନବାନ ହେବାକୁ ନିର୍ଦେଶ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହି ଅବସରରେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ଲକ ସ୍ତରରେ ଉଲୁଣ୍ଡା ବ୍ଲକ, କ୍ଲଷ୍ଟର ସ୍ତରରେ ଲୁତୁରପଙ୍କ କ୍ଲଷ୍ଟର, ସ୍କୁଲ ସ୍ତରରେ ସୋନପୁର ବ୍ଲକ ଅନ୍ତର୍ଗତ ଗଡିଆ ଉଚ୍ଚ ପ୍ରାଥମିକ ସ୍କୁଲକୁ ପ୍ରସଂଶିତ କରିଥିବା ବେଳେ ବିଆରସି, ସିଆରସି, ତଥା ବିଭିନ୍ନସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗଡ଼ତ୍ୟା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।