ରୁଷା ଦେଲା ଅନୁଦାନ, ରାଜ୍ୟ ସରକାର ସାଉଁଟିଲେ ପ୍ରଶଂସା : ଅଭିଯୋଗ ଆଣିଲା ବିଜେପି

  • ସୂଚନା ଫଳକରେ ସାଂସଦଙ୍କ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ କଲା ଯୁବ ମୋର୍ଚ୍ଚା

ଟିଟିଲାଗଡ଼, (ଗୌରବ ଦର୍ଜୀ) : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଅନୁଯାୟୀ ରାଜ୍ୟ ସରକାରଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି । ଲୋକମାନଙ୍କର ସର୍ବନିମ୍ନ ମୌଳିକ ସମସ୍ୟା ହେଉ ବା ସ୍ୱାସ୍ଥ୍ୟ କି ଗମନା ଗମନ ପାଇଁ ହେଉ, କି ଶିକ୍ଷାର ବିକାଶ ପାଇଁ ହେଉ । ଅନେକ ସମୟରେ କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅନୁଦାନ ଦେଇ ଆସୁଛନ୍ତି, ହେଲେ ବିଡମ୍ବନାର ବିଷୟ ଯେ, ରାଜ୍ୟ ସରକାର କେନ୍ଦ୍ର ଅନୁଦାନ ଗୁଡିକୁ ହାଇଜ୍ୟାକ କରି ଲୋକଙ୍କୁ ଭୂଆଁ ବୁଲାଇ ମିଛ କହି ବାଃ ବାଃ ନେଉଥିବା ଅଭିଯୋଗ କରିଛି ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟୀ ତଥା ଯୁବ ମୋର୍ଚ୍ଚା । ଯୁବ ମୋର୍ଚ୍ଚାର ରାଜ୍ୟ ନିମନ୍ତ୍ରିତ ସଦସ୍ୟ ନରସିଂହ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ଯୁବ ମୋର୍ଚ୍ଚା ପବିତ୍ର ସାହୁ, ସାଂସଦ ପ୍ରତିନିଧି ଗୁଲାବ ସୋନି, ଯୁବ ମୋର୍ଚ୍ଚାର ସଦସ୍ୟ କୁବେର ନାଗ ପ୍ରମୁଖ ଟିଟିଲାଗଡ଼ ଡ଼ିଏଭି କଲେଜରେ ଗତ ୨୬ ତାରିଖ ଦିନ ଉଦଘାଟିତ ହୋଇଥିବା ଛାତ୍ରୀ ନିବାସର ସୂଚନା ଫଳକକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଅଭିଯୋଗ ଅନୁଯାୟୀ ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ଏକ ଛାତ୍ରୀ ନିବାସ ପାଇଁ ରୁଷା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ) ଯୋଜନା ଅନୁଯାୟୀ ପାଖାପାଖି ୭୬ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଛାତ୍ରୀମାନେ କିଭଳି ଅଯଥା ଖର୍ଚ୍ଚାନ୍ତ ନ ହୋଇ ବିନା ବାଧା ବିଘ୍ନରେ ଉତ୍ତମ ଶିକ୍ଷା ପାଇ ପାରିବେ ସେ ନେଇ ଛାତ୍ରୀ ନିବାସ ପାଇଁ ଅନୁଦାନ ଆସିଥିଲା । ରୁଷା ନିୟମ ଅନୁଯାୟୀ କେନ୍ଦ୍ର ସରକାର ଅନୁଦାନର ୬୦ ଭାଗ ଏବଂ ରାଜ୍ୟ ସରକାର ଅନୁଦାନର ୪୦ ଭାଗ ଅର୍ଥ ବହନ କରିବେ । ଏମିତି କି ସ୍ୱତନ୍ତ୍ର ସ୍ପେଶାଲ ରାଜ୍ୟ ମାନଙ୍କୁ ଏହି ଯୋଜନାରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଏବଂ ସମ୍ପୃକ୍ତ ରାଜ୍ୟ ୧୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ । ସେହିପରି ୟୁନିୟନ ଟେରିଟୋରୀ ମାନଙ୍କୁ ଏହି ଯୋଜନା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ୧୦୦ ପ୍ରତିଶତ ଅନୁଦାନ ଯୋଗାଇ ଦେବେ । ତେବେ ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସ ବା ହଷ୍ଟେଲରେ କେନ୍ଦ୍ର ସରକାରଙ୍କ ୬୦ରୁ ୯୦ ପ୍ରତିଶତ ଅର୍ଥ ଲାଗିଥିବା ବେଳେ ଉଦଘାଟନ ସମୟରେ କେମିତି ଜିଲ୍ଲା ପ୍ରଶାସନ ବଲାଙ୍ଗିର ସାଂସଦ ସଂଗୀତ କୁମାରୀ ସିଂଦେଓଙ୍କୁ ଭୁଲିଗଲେ ତାହାକୁ ନେଇ ପ୍ରଶ୍ନ କରିଛି । ଏମିତିକି ସୂଚନା ଫଳକରେ ସାଂସଦଙ୍କ ନାମ ନଥିବା ବେଳେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କ ନାମ ରହିଛି ହେଲେ ସେ ଅନୁପସ୍ଥିତ ରହିଥିଲେ । ରାଜ୍ୟ ସରକାର ଜାଣିଶୁଣି ଲୋକଙ୍କୁ ଭୂଆଁ ବୁଲାଇବା ନେଇ କେନ୍ଦ୍ର ସରକାରଙ୍କ ଅନୁଦାନକୁ ହାଇଜ୍ୟାକ କରି ବାହବା ନେଉଥିବା ବେଳେ ଜନସାଧାରଣ ମାନଙ୍କୁ ମଧ୍ୟ ଅନ୍ଧାରରେ ରଖି କେବଳ ଭୋଟ ହାତେଇବା ପାଇଁ ସରକାରୀ କଳକୁ ଦୁରୁପଯୋଗ କରୁଥିବା ଯୁବ ମୋର୍ଚ୍ଚା ଅଭିଯୋଗ ଆଣିଛି । କଲେଜ ଛାତ୍ରୀ ନିବାସ ଉଦଘାଟନ ସମୟରେ ସାଂସଦକୁ ଅଣଦେଖା ଜାଣିଶୁଣି କରାଯାଇଥିବା ବେଳେ ଏହା ପରୋକ୍ଷରେ ସାଂସଦଙ୍କୁ ଅପମାନ କରିବା ସଦୃଶ୍ୟ ବୋଲି ଯୁବ ମୋର୍ଚ୍ଚାର ସଦସ୍ୟ ନରସିଂହ ସିଂ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାତେଇ ଲୋକଙ୍କୁ ବିଜୁ ପକ୍କା ଘର ନାରେ ଭୂଆଁ ବୁଲାଉ ଥିବା ବେଳେ ଏବେ କେନ୍ଦ୍ର ଅନୁଦାନକୁ ମଧ୍ୟ ହାଇଜ୍ୟାକ କରି ବାହବା ନେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାଜପା । କେନ୍ଦ୍ର ସରକାରଙ୍କ ଯୋଜନା ମାନଙ୍କରେ ଭାଜପାର ସାଂସଦ ମାନଙ୍କୁ ନିମନ୍ତ୍ରଣ କରାନଯାଇ କେବଳ ଶାସକ ଦଳର ନେତାମାନଙ୍କୁ ନେଇ ଉଦ୍‌ଘାଟନ କରୁଥିବାରୁ ଏହାକୁ କଡା ସମାଲୋଚନା କରିଛନ୍ତି । ଆଗକୁ ସୂଚନା ଫଳକକୁ ପରିବର୍ତନ କରାନଗଲେ ଆଗକୁ ତୀବ୍ର ଆନ୍ଦୋଳନ କରିବ ବୋଲି କଡା ଚେତାବନୀ ଦେଇଛି ଯୁବ ମୋର୍ଚ୍ଚା । ସେପଟେ ବିଭାଗୀୟ ଅଧିକାରୀଙ୍କ କହିବା କଥା ଯେ, ଏହା ରୁଷା ଯୋଜନାରୁ ଅନୁଦାନ ଆସିଥିବା ବେଳେ ଉଦ୍‌ଘାଟନ ସମୟରେ ଜିଲ୍ଲା ପ୍ରଶାସନ ଉଦ୍‌ଘାଟନର ସମସ୍ତ ବିଷୟ ହାତକୁ ନେଇଥାନ୍ତି । ଏଣୁ ସାଂସଦଙ୍କୁ ନିମନ୍ତ୍ରଣ କରିବା କଥା, ଯେହେତୁ କେନ୍ଦ୍ରୀୟ ଯୋଜନାର ବଡ଼ ଭାଗ ଅଂଶ ବିନିଯୋଗ ହୋଇଛି । ହେଲେ ଏଥିରେ ପୂର୍ତ୍ତ ବିଭାଗର କୌଣସି ଭୂମିକା ରହିନଥାଏ । ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ସାଂସଦଙ୍କୁ ଅବଗତ କରିବା କଥା, ଉଦଘାଟନ ସମୟରେ ନିମନ୍ତ୍ରଣ କରିବା କଥା କିନ୍ତୁ କେମିତି ସୂଚନା ଫଳକରେ ନାମ ରହିଲା ନାହିଁ ତାହା ଜିଲ୍ଲପାଳ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ହିଁ ସବିଶେଷ ସୂଚନା ଦେଇ ପାରିବେ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଏହି ଘଟଣା ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଜାଣିଶୁଣି ସାଂସଦଙ୍କୁ ନିମନ୍ତ୍ରଣ ନ କରି କେବଳ ନିଜର ରାଜନୈତିକ ଫାଇଦା ହାସଲ କରିବା, ଲୋକଙ୍କୁ ଭୁଆଁ ବୁଲାଇ ମିଥ୍ୟା ପ୍ରଚାର କରି କେନ୍ଦ୍ରୀୟ ଅନୁଦାନକୁ ବି ହାଇଜ୍ୟାକ କରି ନିଜ ସରକାରଙ୍କ ଅନୁଦାନ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେବା ହାସ୍ୟାସ୍ପଦ ଘଟଣା ବୋଲି ଯୁବ ମୋର୍ଚ୍ଚା କହିଛି । ଆଗକୁ ଏନେଇ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛି ବୋଲି କହିଛନ୍ତି ଭାଜପା ଯୁବ ମୋର୍ଚ୍ଚା ସଦସ୍ୟ ।

Leave A Reply

Your email address will not be published.