ବଡ଼ଦାଣ୍ଡରେ ତିନିରଥର କାମ ପ୍ରାୟ ଶେଷ ସୋପାନରେ ପହଞ୍ଚିଛି : ରଙ୍ଗ ତୁଳୀ କାମ ଜୋରସୋରରେ ଚାଲିଛି

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ଦାଣ୍ଡରେ ତିନିରଥର କାମ ପ୍ରାୟ ଶେଷ ସୋପାନରେ ପହଞ୍ଚିଛି । ରଙ୍ଗ ତୁଳୀ କାମ ଜୋରସୋରରେ ଚାଲିଛି । ତିନି ରଥରେ ଏବେ ରଥର ମୁଖଶାଳା ସମ୍ମୁଖସ୍ଥ ପ୍ରଭା ନିର୍ମାଣ ସରି ଟଙ୍ଗା ଯିବା ଲାଗି କାମ ଚାଲିଛି । ବିଭିନ୍ନ ବର୍ଗର କାରିଗର ମାନେ ନିଜନିଜର କଳା ପାରଦର୍ଶିତା ପ୍ରଦର୍ଶନ କରି ଆସୁଛନ୍ତି । ରଥଯାତ୍ରାର ପହିଲି ପର୍ବ ନେତ୍ର ଉତ୍ସବ ତଥା ନବଯୌବନ ଦର୍ଶନରେ ଭକ୍ତଜନ ଶ୍ରୀଜୀଉଙ୍କୁ ଦର୍ଶନ କରି ମୋକ୍ଷ ଲାଭ ହୁଅନ୍ତି ବୋଲି ଶାସ୍ତ୍ରୀୟପ୍ରମାଣ ରହିଛି । ଘୋଷଯାତ୍ରା ପାଇଁ ଆଉ ନଅଦିନ ବାକିଥିବା ବେଳେ କର୍ମ ଚଞ୍ଚଳତା ପ୍ରତିପାଦନ କରି ଆସୁଛନ୍ତି, ବିଭିନ୍ନ ମଠ, ମନ୍ଦିର, ତଥା ଶ୍ରୀକ୍ଷେତ୍ରର ବିଭିନ୍ନ ବର୍ଗର ସେବାୟତ ଗଣ । ଇଂରାଜୀ ଜୁଲାଇ ମାସ ୧୨ ତାରିଖରେ ଶ୍ରୀ ଗୁଣ୍ଡିଚା ଯାତ୍ରା ହେଉଛି, ଘୋଷଯାତ୍ରାର ଆଦ୍ୟ ଯାତ୍ରା । ତେବେ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି, ଶ୍ରୀକ୍ଷେତ୍ର । ରଥଖଳାରେ ରଥନିର୍ମାଣ କାର୍ଯ୍ୟ ହେଉଛି, ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଯାହା ସଭିଙ୍କ ପାଇଁ ଏକ ଜରୁରୀ ସୂଚନା ମନେ ହୁଏ ।

ରଥଖଳାରୁ : ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ-୧୯୭ ହୋଇଥିବା ବେଳେ ତିନିରଥର ମୋଟ ମହାରଣା – ୭୮, ତିନିରଥର ଭୋଇ ସେବକ – ୭୬, ତିନିରଥର କରତି ସେବକ – ୫, ପାହି ମହାରଣା – ୧, ଓଝା ବା କମାର ସେବକ – ୧୬, ତୁମ୍ବ ବିନ୍ଧ କାରୀଗର – ୧, ତିନିରଥ ରୂପକାର ସେବକ – ୧୯, ରଥଖଳା ସହାୟକ – ୧ । ରଥ ନିର୍ମାଣ ଅଗ୍ରଗତି ତିନିରଥର ପ୍ରଭା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ଉକ୍ତ ପ୍ରଭା ଗୁଡିକ ଉପର ଭାଗରେ କଳସ, ଦୁଇ ପଟରେ ଦୁଇଟି ସିଂହ ସହ ରାହୁରୂପ, ତଳଭାଗ ଦୁଇପଟରେ ପଦ୍ମ ଡାଳିଲତା ଏବଂ ନିମ୍ନଭାଗ ଦୁଇଅଟରେ ମଗର ମୁଖ ଚିତ୍ର ଅଙ୍କନ କରି ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକ ମାନେ ଆରମ୍ଭ କରିଛନ୍ତି । ତିନିରଥରେ ପଟାପଡି ସିଂହାସନ ପାଇଁ ବେଦି ନିର୍ମାଣ ଶେଷ ହୋଇଛି । ତିନିରଥରେ ଘୋଡା ସେଟିଙ୍ଗ ବା ଘୋଡ଼ାଗୁଡିକୁ ମଜଭୁତ ଭାବେ ବାନ୍ଧି ରଖିବା ପାଇଁ ‘ଇଶ’ ନିର୍ମାଣ ଶେଷ ହୋଇଥିଲା, ଆଜି ଇଶରେ ବିନ୍ଧ କାର୍ଯ୍ୟ ସରି ସେଥିରେ ପଖିଆ (ଢ଼ିଙ୍କି ପରି) ଏବଂ ଗୁଣ୍ଠି ଫିଟିଙ୍ଗ ହୋଇଅଛି । ଏହି ଇଶ ଚାର ପରିଛା ଉପର ଦେଈ ସାଲଗୁଜ ପାର୍ଶ୍ୱ ଦେଇ ବ୍ରେକ ଚକ ଏବଂ ଦ୍ୱିତୀୟ ଚକ ମଧ୍ୟ ଭାଗରେ ତାଳପଟ ପଡି ସଂଯୋଗ ହେବ । ଏଥିସହ ଘୋଡାକୁ ଉଠାଇ ଫିଟିଙ୍ଗ ସମୟରେ ଟେକି ଧରିବା ପାଇଁ ଦୁଇଟି ଲେଖାଁଏ ୬ ଗୋଟି ଆଶାବାଡି ନିର୍ମାଣ ଶେଷ ହୋଇଅଛି । ଏଥିସହ ତିନିରଥର ଚାରି ପାର୍ଶ୍ୱରେ ହଂସ ପଟା କଟିଙ୍ଗ, ଆବଶ୍ୟକ ଥିବା ୬ ଗୋଟି କନ୍ୟା ପଟା କଟିଙ୍ଗ ପାଇଁ ରଥ ଅମୀନ ରଥ ମହାରଣା ମାନଙ୍କୁ ପଟା ଯୋଗାଇ ଅଛନ୍ତି, ଉକ୍ତ ପଟା ଆବଶ୍ୟକ ପ୍ରକାରେ କଟିଙ୍ଗ ହୋଇ ରଂଜା ମରାହବା ପରେ ସେଥିରେ ଚିତ୍ରକର ସେବକ ହଂସ, କନ୍ୟା ଚିତ୍ର ଅଙ୍କନ ହୋଇ ରଥ ଚାରି ପାର୍ଶ୍ୱରେ ଫିଟିଙ୍ଗ ହେବ । ଆଜର ରଥ ନିର୍ମାଣ କାର୍ଯ୍ୟ ବନ୍ଦ ପୂର୍ବରୁ ତିନିରଥରେ ୧୨ ଗୋଟି ଦୁଆର ବେଢା ସହ ୨୪ ଗୋଟି ନାଟ ଗୋଡ ଦୁଆର ବେଢାରେ ସଂଯୁକ୍ତ ହୋଇ ଲାଗିଅଛି ।

ଚିତ୍ରକାର ସେବକ ମାନେ ତିନି ରଥର ଓଲଟ ଶୁଆ, କଳସ, ଋଷି ପଟା, ଦୁଆର ବେଢ଼ା, ଅଁଳାରେ ରଂଗ କାର୍ଯ୍ୟ ଶେଷ କରି କନ୍ୟା ପଟା, ପାର୍ଶ୍ୱ ଦେବା ଦେବୀ, ସଖୀ ଆଦିରେ ରୂପ ଅଙ୍କନ ଚିତ୍ର କରିବା ସହ ତିନି ରଥର ପଟାଗୁଜ, କୋଣ ଗୁଜ ଗୁଡିକରେ ଖୋଦିତ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାଇ କମାଇ ଶାଳରେ ଓଝା ସେବକ ମାନେ ସାରଥୀ ବାଗିଆ କଣ୍ଟା, ଘୋଡା ବାଗିଆ କଣ୍ଟା ନିର୍ମାଣସହ ଦୁଆର ବେଢା ସେଟିଙ୍ଗ ପାଇଁ କଣ୍ଟା ନିର୍ମାଣ କରି ମହାରଣା ମାନଙ୍କୁ ଯୋଗାଇଛନ୍ତି । ତିନିରଥର ଦରଜୀ ସେବକ ମାନେ ରଥ ବତା କାନା କଟିଙ୍ଗ ସହ ଲେସ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।

Leave A Reply

Your email address will not be published.