ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମର ଜଣେ ହରିଜନ ସମିତି ସଭ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହ ଜାତି ଆକ୍ଷେପ କରି ଅଶ୍ଲିଲ ଭାଷାରେ ଗାଳି ଗୁଲଜ ନେଇ ଲରମ୍ଭା ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ସମିତି ସଭ୍ୟା ବୈଦେହୀ ସେଠ ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହେବା ପରେ ବାଘମୁଣ୍ଡ ଗ୍ରାମର ପ୍ରକାଶ ମେହେର ଓ ବିକାଶ ମେହେର ବୈଦେହୀଙ୍କ ଘରକୁ ଯାଇ ୩ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ କହି ତାଙ୍କୁ ଓ ତାଙ୍କ ସ୍ଵାମୀ ଲିଙ୍ଗରାଜ ସେଠଙ୍କୁ ଜବରଦସ୍ତି ରାୟପୁର ନେଇ ଯାଇଥିଲେ । ଅଭିଯୋଗ ଅନୁଯାୟୀ ତାଙ୍କୁ ରାୟପୁରରେ ୧୫ ଦିନ ରଖାଯିବା ପରେ ପାଟଣାଗଡ଼ ଭୋଲାନାଥ କଲ୍ୟାଣ ଧର୍ମଶାଳାକୁ ଅଣା ଯାଇଥିଲେ । ସେଠାରେ ନିଜେ ବିଧାୟକ ସରୋଜ କୁମାର ମେହେର ବୈଦେହୀଙ୍କୁ ୨୫ ହଜାର ଟଙ୍କା ଦେଇଥିଲେ ଓ ବାକି ଟଙ୍କା ବିକାଶ ମେହେର ଦେବେ ବୋଲି ଲିଖିତ ଏତଲାରେ ଦର୍ଶାଇଛନ୍ତି ବୈଦେହୀ । ବୈଦେହୀ ବିକାଶକୁ ବାକି ମାଗିବାରୁ ସେ ଆଜି ପର୍ୟ୍ୟନ୍ତ ଦେଇ ନାହିଁ ବୋଲି ଅଭିଯୋଗ କରିଛନ୍ତି । ବୈଦେହୀଙ୍କ ଶଶୁର ଫକିର ସେଠଙ୍କ ଜମିରେ ଇଟାଭାଟି କରି ତାକୁ ବିକ୍ରି କରିସାରିଲା ପରେ ବୈଦେହୀ ଟଙ୍କା ଦେବି ବୋଲି ବିକାଶ ଓ ପ୍ରକାଶ କରିଥିଲେ । ହେଲେ ବିକାଶ ଓ ପ୍ରକାଶ ଗତ ୩୧ ତାରିଖ ଦିନ ଟ୍ରାକ୍ଟର ଯୋଗେ ଇଟା ନେଉଥିବା ବେଳେ ବୈଦେହୀ ପରିବାର ଲୋକେ ବାକି ଟଙ୍କା ମାଗିଥିବା ବେଳେ ବିକାଶ ଓ ପ୍ରକାଶ ବୈଦେହୀଙ୍କ ପରିବାର ଲୋକଙ୍କୁ ଓ ତାଙ୍କୁ ବନ୍ଧୁକ, ଠେଙ୍ଗା, ଲୁହା ରଡ଼ ଧରି ଜୀବନରେ ମାରି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଗତ ୧ ତାରିଖ ଦିନ ବୈଦେହୀ ଭୟରେ ଲରମ୍ଭା ଥାନାରେ ବିକାଶ ମେହେର, ପ୍ରକାଶ ମେହେର, ରାଜ କିଶୋର ମେହେର, ଦିଲିପ ମେହେର, ବାଦଲ ମେହେର ଆଦିଙ୍କ ନାମରେ ଏତଲା ଦେଇଥିଲେ । ଲରମ୍ଭା ପୋଲିସ କିଛି ପଦକ୍ଷେପ ଗ୍ରହଣ ନକରିବାରୁ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ । ପୁଣି ଗତ ୧୪ ତାରିଖ ଦିନ ସନ୍ଧ୍ୟାରେ ମେହେର ପରିବାରଙ୍କ ନିର୍ଦେଶ କ୍ରମେ ଗାଁ ବୈଠକରେ ବୈଦେହୀଙ୍କ ପରିବାର ଲୋକଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଥିବା ବୈଦେହୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଗାଁରେ ନିଆଁ ପାଣି ବାସନ୍ଦ ହେବାରୁ ବୈଦେହୀଙ୍କ ପରିବାର ପାଟଣାଗଡ଼ରେ ଆସି ରହୁଛନ୍ତି ବୋଲି ବୈଦେହୀଙ୍କ ସ୍ବାମୀ ଲିଙ୍ଗରାଜ ସେଠ କହିଛନ୍ତି । ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।
Next Post