ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ଶ୍ରମିକ ଅଞ୍ଚଳ। ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ନୁଆଁଖାଇ ସରିଲା ପରେ ପରେ ଦାଦନ ଖଟିବାକୁ ଯାଉଛନ୍ତି ଏଠିକାର ଅଧିବାସୀ । କରୋନା ସମୟରେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ସରକାର ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଏଠିକାର ଦାଦନ ଶ୍ରମିକଙ୍କୁ ଆଣିଥିଲେ ସତ, ହେଲେ ବହୁତ ଦୁଃଖର କଥା ଯେ, କାମ ଅଭାବରୁ ଛ’ ମାସ ନ ପୂରୁଣୁ ପୁଣି ଲେଉଟି ଯାଉଛନ୍ତି ବାହାର ରାଜ୍ୟକୁ ଏଠିକାର ଶ୍ରମିକ ଦାଦନ ଖଟିବାକୁ । ଏଭଲି କରୋନା ପରିସ୍ଥିତିରେ ଗାଁ ଛାଡୁଥିବା ଶ୍ରମିକଙ୍କ ପାଇଁ ପୁଣି ଏକ ଦୁଃଖଦ ସମୟ ଆସି ଯାଇଛି।
ଯେମିତି ଆସିଥିଲେ ସେମିତି ନିଜ ପିଲାଛୁଆଙ୍କୁ ଧରି ପ୍ରତ୍ୟେକ ଦିନ ସହରରୁ ବାହାରୁଛନ୍ତି ଶହ ଶହ ଲୋକ । ଏଠି କଥା ଉଠୁଛି ଯଦି ଏଠିକାର ଲୋକେ କାମ ଅଭାବରୁ ବାହାର ରାଜ୍ୟକୁ ଯାଉଛନ୍ତି ତ ଏସବୁ ଯୋଜନା କାହାପାଇଁ, ଏବେ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ସବୁ ସମସ୍ୟା ର ସମାଧାନ ଏବଂ ଦାଦନ ଶ୍ରମିକଙ୍କୁ କାମ ନ ଯୋଗାଇ ଦେଲେ ଆଗକୁ ଆହୁରି ଶ୍ରମିକ ବାହାର ରାଜ୍ୟକୁ ଯିବାର ସମ୍ଭାବନା ଦେଖା ଦେଇଛି। ଆମେ ପଚାରିଥିଲୁ କିଛି ଶ୍ରମିକଙ୍କୁ ଏଠି କାମ ନ କରି ପୁଣି କାହିଁକି ଯାଉଛ ? ଆମ ପ୍ରଶ୍ନର ପ୍ରତି ଉତ୍ତର ମିଲିଲା -” ସରିଗଲା ହାତର୍ ଧନ୍, ଚାଲଲୁଁ ଆମେ ଖଟି ଦାଦନ୍” ।
Prev Post