ନିଃସହାୟ ବିଧବା ମହିଳା ମଞ୍ଜୁଳାଙ୍କ ଦୁଃଖ ଦିଶୁନି କାହା ଆଖିରେ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ମହୁଲବାହାଲି ଗାଁର ଚେୟାରମେନପଡ଼ା ନିବାସୀ ନିଃସହାୟ ବିଧବା ମହିଳା ମଞ୍ଜୁଳା ମେହେର ଅତି ଦୟନୀୟ ଅବସ୍ଥାରେ ଅଭାବ ଅନାଟନରେ ଭଙ୍ଗା କୁଡିଆରେ କାଳାତିପାତ କରୁଥିବା ଖବର ମିଳିଛି । ତାଙ୍କ ସ୍ଵାମୀ ଲଛମନ ମେହେର ପ୍ରାୟ ତିନି ବର୍ଷ ପୂର୍ବେ ପରିବାର ସଦସ୍ୟଙ୍କୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । ବିଧବା ଭତ୍ତା ପାଇବା ଆଶାରେ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ ତଥା ବ୍ଲକ ପ୍ରଶାସନଙ୍କୁ ମଞ୍ଜୁଳା ଜଣାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ତାଙ୍କ ଗୁହାରି କେହି ଶୁଣୁ ନାହାନ୍ତି । ଏ ପଟେ ଗୋଟିଏ ବୋଲି ପୁଅ ଉପେନ୍ଦ୍ର ମେହେର ହାଇଦ୍ରାବାଦକୁ ଇଟା ଗଢା କାମରେ ଯାଇ ପରିବାର ସଦସ୍ୟଙ୍କ ଭରଣ ପୋଷଣ କରି ଆସୁଥିଲା । ତାହା ବି ଦଇବ ସହିଲାନି । ପ୍ରାୟ ଛଅ ବର୍ଷ ହେଲା ସେ ବିକଳାଙ୍ଗ ହୋଇଗଲା । ଆର୍ଥିକ ପରିସ୍ଥିତିର ଦୁର୍ବଳତା ହେତୁ ପୁଅର ଚିକିତ୍ସା କରି ପାରିଲେନି ମଂଜୁଳା । ନିଃସହାୟ ବିଧବା ମହିଳା ମଞ୍ଜୁଳା ଓ ବୋହୁ ସଂଯୁକ୍ତା ଏବେ କୁଲି ମଜୁରି କାମ କରି ପରିବାର ଚଳାଇ ଆସୁଛନ୍ତି । ଏହି ବିଧବା ମହିଳା ପଞ୍ଚାୟତରୁ ପାଞ୍ଚ କିଲୋ ଚାଉଳ ପାଇ ପରିବାର ସଦସ୍ୟଙ୍କୁ ନେଇ ଭଙ୍ଗା କୁଡିଆରେ କାଳାତିପାତ କରି ଆସୁଛନ୍ତି । ତାଙ୍କୁ ତୁରନ୍ତ ବିଧବା ଭତ୍ତା ଦିଆଯିବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.