କର୍ଲାମୁଣ୍ଡା ବ୍ଳକ : ଶହ ଶହ ହେକ୍ଟର ଗୋଚର ଜମି ପ୍ରଭାବଶାଳୀଙ୍କ କବ୍‌ଜାରେ : ରାଜସ୍ୱମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

କର୍ଲାମୁଣ୍ଡା : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଗାଁରେ ଥିବା ଗୋଚର ଜମି ଏବେ ପ୍ରଭାବଶାଳୀଙ୍କ କବ୍‌ଜାରେ । ଗାଈଗୋରୁ ଚରିବା ପାଇଁ ଥିବା ଏଇ ଗୋଚର ଭୂମି ଜବରଦଖଲକାରୀଙ୍କ ଦ୍ୱାରା ଚାଷଜମିରେ ପରିଣତ ହୋଇଥିବା ବେଳେ ଆଉ କେଉଁଠି କୋଠାଘର ତିଆରି ହୋଇଛି । ଜଣେ ଜୂମିହୀନ ବ୍ୟକ୍ତି ଯଦି ଦୁଇ, ଚାରି ଡିସିମଲ ଗୋଚର ଜମିରେ ଘର ତିଆରି କରିବା ପାଇଁ ଦଖଲ କରେ, ତେବେ ତାହାକୁ ନେଇ କେତେ ତୁମ୍ବିତୋଫାନ ହୋଇଯାଏ । ହେଲେ ବଡବଡିଆ ଲୋକ ନିଜ ଗାଁରେ ଏକାଧିକ ହେକ୍ଟର ଗୋଚର ଜମିକୁ ଚାଷଜମିରେ ପରିଣତ କରେ ତେବେ ସେତେବେଳେ ଦେଖାଦିଏ ଏକଦମ ନୀରବତା । ଏଇ ବ୍ଳକର ୬୦ରୁ ଅଧିକ ଗ୍ରାମରେ ଥିବା ଶହ ଶହ ହେକ୍ଟର ଗୋଚର ଜମିର ସିଂହଭାଗ ଜବର ଦଖଲରେ ରହିଛି । ରାଜସ୍ୱ ବିଭାଗରୁ ଏନକ୍ରୋଜମେଂଟ ଟିଏ ପୈଠ କରି ପୈତୃକ ସଂପତି ଭଳି ଦଖଲ କରିଚାଲିଛନ୍ତି ଏଇ ଦଖଲକାରୀ ମାନେ । ଯୋରାଡୋବରା ପଂଚାୟତର ସିଲେଟପଡାର ସ୍ୱୟଂ ସହାୟୀକା ଗୋଷ୍ଠୀ ଇତି ମଧ୍ୟରେ ତାଙ୍କ ଗ୍ରାମରେ ଥିବା ଗୋଚରଜମି ସବୁ ଦଖଳକାରୀଙ୍କ ଠାରୁ ମୁକ୍ତ କରିବା ପାଇଁ ରାଜସ୍ୱମନ୍ତ୍ରୀ, ଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କୁ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇଛନ୍ତି । ଯଦି ଏହାର ପଦକ୍ଷେପ ନିଆ ନ ଯାଏ ତେବେ ଲକଡାଉନ ଉଠିବା ପରେ ତହସିଲ ଅଫିସ ଘେରାଉ କରାଯିବ ବୋଲି ଏଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଚେତାବନୀ ଦେଇଛନ୍ତି । ସେହିପରି ରିଷିଡା, ଯୋରାଡୋବରା, କର୍ଲାମୁଣ୍ଡା, ରିଂଜା ସରଗୁଲ ମାଲପଡା, ରେଗେଡା ଓ ଗଜବାହାଳ ପଂଚାୟତରେ ଥିବା ସମସ୍ତ ଗୋଚରଜମିର ପୁନଃରୁଦ୍ଧାର ପାଇଁ ଦାବୀ କରିଛି ଗୋଚର ସୁରକ୍ଷା ସମିତି । ବର୍ତମାନ ଗାଈଗୋରୁ ଚରିବା ପାଇଁ ଜାଗା ନ ଥିବାରୁ ଲୋକେ ଆଉ ଗାଈଗୋରୁ ନ ରଖି ବିକ୍ରି କରି ଦେଉଛନ୍ତି । ଫଳରେ ଗୋସଂପଦ ଅସୁରକ୍ଷିତ ରହିବା ସହ ଗୋପାଳନରୁ ଚାଷୀ ବଂଚିତ ରହୁଛି ।

Leave A Reply

Your email address will not be published.