ପାନୀୟ ଜଳ ପାଇଁ ଡହଳ ବିକଳ : ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୌଳିକ ଅଧିକାରକୁ ଜନସାଧାରଣଙ୍କ ଦୁଆର ମୁହଁରେ ପହଂହେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି । ରାଜ୍ୟ ସରକାର କେବଳ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି । ଲୋକ ଦେଖାଣିଆ ଅନେକ ଯୋଜନା କାର୍ୟ୍ୟକାରୀ କରିଥିଲେ ସୁଦ୍ଧା ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଅନେକ ଜନସାଧାରଣ ସ୍ୱାଧୀନତାର ସ୍ୱାଦ ପାଇବାରୁ ବଞ୍ଚିତ ଅଛନ୍ତି । ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା:ପ: ଅନ୍ତର୍ଗତ କରଲାମାଲ ଆମପାଲିରେ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ୩୦ପରିବାରରେ ପାଖାପାଖି ୧୫୦ ଜନସାଧାରଣ ବସବାସ କରନ୍ତି । ନଳକୂପ ଦୁଇଟି ଅଛି କିନ୍ତୁ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ ପାଇଥିବାରୁ ପାଣି ବହୁତ କଷ୍ଟରେ ବାହାରୁଛି । ନଳକୂପରେ ଅଧା ଘଣ୍ଟା ମାରିଲେ ଯାଇ ବାଲଟିଏ ପାଣି ବାହାରୁଛି ଓ ଜନସାଧାରଣଙ୍କୁ ଲାଇନରେ ଛିଡା ହେବାକୁ ପଡୁଛି । ଏ ବିଷୟରେ ସରପଞ୍ଚ ସରୋଜ ଭୋଇ, କାର୍ୟ୍ୟନିର୍ବାହୀ ଅଧିକାରୀ ସୁଭାଷ ଚନ୍ଦ୍ର ଭଣ୍ଡାଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ । ଲୋକଦେଖାଣି କେବଳ ମରାମତି କରିଦେଲେ ପୁଣି ସେହି ଅବସ୍ଥା । ପାଇପ ଆହୂରି ଦୁଇଗୋଟି ଲେଖାଏଁ ଯୋଡିବାକୁ କହିବାରୁ ପଞ୍ଚାୟତରେ ପାଇପ ସରିଯାଇଛି ବୋଲି କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଏ ବିଷୟରେ ଖବର ପାଇ ସମାଜସେବୀ ଗିରିରାଜ ଭୋଇ ପାଟଣାଗଡ଼ ବିଡ଼ିଓ ନୀଳ ମାଧବ ସୁନାଙ୍କୁ ସେହି ସମସ୍ୟାର ଭିଡ଼ିଓ ଫୁଟେଜ ଦେଖେଇ ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଥିଲେ । ବିଡ଼ିଓ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଦେଖାଯାଉ ଗ୍ରାମବାସୀ ଏହି ସମସ୍ୟାରୁ କେବେ ମୁକ୍ତି ପାଇବେ ।

Leave A Reply

Your email address will not be published.