ଜୁନ ୩ରେ ‘ନବୀନ’ ପକ୍ଷରୁ ପଦ୍ମଶ୍ରୀ ମୋହନ ନାୟକଙ୍କ ଶତବାର୍ଷିକୀ ପାଳନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା ପଦ୍ମଶ୍ରୀ ମୋହନ ନାୟକଙ୍କ ବ୍ରହ୍ମପୁର ଠାରେ ୩ ଜୁନ ୧୯୨୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଆଗାମୀ ଜୁନ ୩ ତାରିଖ ସ୍ୱର୍ଗତ ନାୟକଙ୍କ ଶତବାର୍ଷିକୀ ଅବସରରେ ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର “ନବୀନ’ ପକ୍ଷରୁ ଶତବାର୍ଷିକୀ ପାଳନ ସହିତ ନବୀନର ଏକ ସ୍ୱତନ୍ତ୍ର ସଂଖ୍ୟା ତାଙ୍କ ଉଦ୍ଦେଶ୍ୟରେ ପ୍ରକାଶ ପାଇବ । ଏ ସମ୍ପର୍କରେ ଏକ ବୈଠକ ନବୀନ ଭବନ ଠାରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୩ ତାରିଖ ସକାଳେ ସବରେଜିଷ୍ଟ୍ରାର ଅଫିସ ସମ୍ମୁଖରେ ଥିବା ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ କୋଭିଡ ଗାଇଡ ଲାଇନ ପ୍ରକାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ନବୀନର ପ୍ରମୁଖ ପୃଷ୍ଠପୋଷକ ଡ଼ା. ପ୍ରଫେସର ପି.ସି. ସାହୁ, ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, ରାମକୃଷ୍ଣ ପାତ୍ର, କୃଷ୍ଣଚନ୍ଦ୍ର ତ୍ରିପାଠୀ, କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ସମାଜସେବୀ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ପବିତ୍ର ଚୌଧୁରୀ, ରଞ୍ଜନ କୁମାର ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.