jayashree

ଫର୍ମ ଦାଖଲ ହୋଇଛି କିନ୍ତୁ ପଞ୍ଜିକୃତ ହୋଇନାହିଁ : ଡାଳୁଆ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୧୧ଟି ପେକ୍ସର ୧୨୧ ଜଣ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଧାନ ଚାଷ କରିବାର ଇଚ୍ଛା ଅଛି । ନିଜ ନିଜ ଉଦ୍ୟମରେ ଚାଷ କରିଛନ୍ତି । ବାହାରକୁ ଦାଦନ ଖଟିବାକୁ ଇଚ୍ଛା ନ କରି ନିଜ ଜମୀରେ ଚାଷ କରିଛନ୍ତି ହେଲେ ଉତ୍ପାଦନ ହୋଇଥିବା ଧାନକୁ ସରକାର କିଣିବେ ନାହିଁ । ମଣ୍ଡିରେ ବିକ୍ରୟ କରିବାକୁ ବଞ୍ଚିତ ହେବେ ବୋଲି ଜଣାପଡ଼ିବା ପରେ ଡାଳୁଆ ଚାଷୀ ମହଳରେ ଚିନ୍ତା ବଢ଼ିବାରେ ଲାଗିଛି । ଦେଓଗାଁ ବ୍ଳକ ଡାଳୁଆ ଧାନ ଚାଷୀମାନଙ୍କ ଅଭିଯୋଗ ହେଲା ଯେ, ସରକାର ଚାଷ କରିବା ପାଇଁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ନିରୁତ୍ସାହିତ କରୁଛନ୍ତି । ସରକାରଙ୍କ ବିନା ସହଯୋଗରେ ଚାଷ କରାଯାଇଛି । ସରକାରୀ କର୍ମଚାରୀମାନେ ମଧ୍ୟ ଚାଷ ଦେଖି ରିପୋର୍ଟ ଦାଖଳ କରିଛନ୍ତି ହେଲେ କେଉଁ କାରଣ ଯୋଗୁଁ ଉତ୍ପାଦିତ ଧାନ କଣିବାକୁ ସରକାର ମନା କରୁଛନ୍ତି ତାହା ଜଣାପଡ଼ୁ ନାହିଁ । ଏସଂକ୍ରାନ୍ତରେ ଅନୁସନ୍ଧାନ କରାଯିବାରୁ ଜଣାପଡ଼ିଛି ଯେ, ନିଜ ଉଦ୍ୟମରେ ପାଣିର ବ୍ୟବସ୍ଥା କରି କରାଯାଉଥିବା ଚାଷର ଉତ୍ପାଦିତ ଧାନକୁ କିଣିବେ ନାହିଁ । ଡାଳୁଆଧାନ ଚାଷୀମାନେ ଧାନ ବିକ୍ରୟ କରିବାକୁ ପଞ୍ଜିକରଣ କରିବାକୁ ସମୟ ଦଆଯାଇଥିଲା । ସେହି ସମୟ ମଧ୍ୟରେ ଦେଓଗାଁ ବ୍ଳକର ୧୧ଟି କୃଷି ସମବାୟ ସମିତିର ୭୮୦ ଜଣ ଚାଷୀ ଡାଳୁଆ ଧାନ ବିକ୍ରୟ କରିବା ପାଇଁ ନିଜ ନିଜ ପେକ୍ସରେ ଫର୍ମ ଦାଖଲ କରିଥିଲେ । ତନ୍ମ ମଧ୍ୟରୁ ୬୫୯ ଜଣ ଚାଷୀ ଧାନ ବିକ୍ରୟ କରି ପାରିବେ ବୋଲି ଜଣାପଡ଼ିଛି । ପଞ୍ଜିକରଣ କରିଥିବା ଦେଓଗାଁ ପେକ୍ସର ୮୫ଜଣ ଚାଷୀ ମଧ୍ୟରୁ ୭ଜଣ, କୁତୁର୍ଲା ୧୦୪ ମଧ୍ୟରୁ ୨୮ଜଣ, ବଡ଼ବନ୍ଧ ୬୬ଜଣ ମଧ୍ୟରୁ ୨ଜଣ, ବନ୍ଧପଡ଼ା ୧୭ଜଣ ମଧ୍ୟରୁ ଜଣେ, ଧଣ୍ଡାମାଲ ୩୪ଜଣ ମଧ୍ୟରୁ ୧୦ଜଣ, ଜରାସିଂହା ୬୮ଜଣ ମଧ୍ୟରୁ ୨୩ଜଣ, ମହଲାଇ ୪୨ଜଣ ମଧ୍ୟରୁ ୧୭ ଜଣ, ଉପରଝର ପେକ୍ସର ୫ ଜଣ, ଅର୍ଜୁନପୁର ୮୧ଜଣ ମଧ୍ୟରୁ ୨୬ ଜଣ ଓ ଗୌଡ଼ଗୋଠ ୨୦୫ଜଣ ମଧ୍ୟରୁ ୧୨ଜଣ ମୋଟ ୭୮୦ ଜଣ ମଧ୍ୟରୁ ୬୫୯ଜଣ ବିକ୍ରୟ କରିବା ପାଇଁ ଅନୁମତି ପାଇଥିବା ବେଳେ ୧୨୧ ଜଣଙ୍କୁ ଧାନ ବିକିବା ପାଇଁ ଅନୁମତି ଦିଆଯାଇ ନାହାନ୍ତି । ୧୨୧ ଜଣ ଉତ୍ପାଦନ କରିଥିବା ଧାନ ଟୋକନ ପାଇବାରୁ ବଞ୍ଚିତ ହେବେ ତେଣୁ କମ ଦରରେ ବିକ୍ରୟ କରିବାକୁ ବାଧ୍ୟ ହେବେ ବୋଲି ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଲକ୍‌ଡ଼ାଉନ୍‌ ଯୋଗୁଁ ଜଳ ସେଚନର ବ୍ୟବସ୍ଥା ଥିବା ଚାଷୀମାନେ ଡାଳୁଆ ଧାନ ଚାଷ କରି ପରିବାର ପୋଷଣ କରିବାକୁ ଚିନ୍ତା କରିଥିବା ବେଳେ ସରକାର ଅନ୍ୟଥା ଧାନ ନ କଣି ହଇରାଣ କରିବାକୁ ଅପଚେଷ୍ଟା ଚଲାଇଛନ୍ତି । ବଲାଙ୍ଗିର ଜିଳ୍ଲାରେ ଆନୁଷ୍ଠାନିକ ଭାବେ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପ୍ରକ୍ରିୟା ବନ୍ଦ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଆଗକୁ ବର୍ଷ ସମ୍ଭାବନା ଥିବାରୁ ଉତ୍ପାଦିତ ଧାନ କିପରି କ୍ଷତି ନହେବ ଓ ଠିକ ଭାବେ ବିକ୍ରୟ ହେବ ସେହି ବିଷୟରେ ଚିନ୍ତା କରିବା ଉଚିତ ବୋଲି ଚାଷୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.