ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ଅଞ୍ଚଳର ୩୫ ଦାଦନ ଶ୍ରମିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ୍ କୁଖ୍ୟାତି ଅର୍ଜନ କରିଛି ସାରା ଭାରତରେ । ଏଠାକାର ଅସହାୟ, ଗରିବ ଶ୍ରେଣୀର ଲୋକମାନେ ସର୍ଦ୍ଦାର୍, ଦଲାଲ ମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦି’ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ସେଠାରେ ସେମାନ‌ଙ୍କୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡୁଛି । ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ତଥାପି ସଚେତନତାର ଅଭାବ ଏବଂ ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଲୋକଲୋଚନକୁ ଆସୁଛି । ଏପରି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ।

ବଲାଙ୍ଗିର ଜିଲ୍ଲା ଲୁହାସିଂହା ଗ୍ରାମର ଲକ୍ଷ୍ମଣ ସାହୁ, ପ୍ରମିଳା ସାହୁ, ବିଶାଖା ସାହୁ, ଜିତୁ ସାହୁ, ଚାଉଳବାଞ୍ଜୀ ଗାଁର ଶିବା ମାଝୀ ଏବଂ ଆହୁରି ଦାଦନ ଶ୍ରମିକ ସୂଦୁର ତେଲେଙ୍ଗାନାରେ ଅକଥନୀୟ ନିର୍ୟାତନା ସହୁଛନ୍ତି । ଏମାନଙ୍କ କହିବା କଥା ହେଲା, ବେଲପଡା ବ୍ଲକର ଦାଦନ ସର୍ଦ୍ଦାର୍ ଡିଲେଶ୍ବର ବେହେରା ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ତେଲେଙ୍ଗାନାର ଏକ ଇଟାଭାଟିରେ ସମସ୍ତଙ୍କୁ ବିକ୍ରି କରି ଦେଇ ଫେରାର ଅଛନ୍ତି । ଏପଟେ ଇଟାଭାଟି ମାଲିକ ସଲିମ ସେଟ୍ ମହିଳା ଶ୍ରମିକ ମାନଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେବି ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏସବୁ ଦୁଃଖ କାହାଣୀ ଶ୍ରମିକ ମାନେ ଫୋନ୍ ମାଧ୍ୟମରେ ଜଣାଇଛନ୍ତି । ପୁରୁଷ ଶ୍ରମିକଙ୍କୁ ସବୁବେଳେ ମାଡ ଗାଳି ଦେଉଥିବା ଅଭିଯୋଗ କରିଥିବା ପ୍ରା‌ପ୍ତ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.