
- ସାଧାରଣ ପର୍ଯ୍ୟବେକ୍ଷକରୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ଭଗବାନ ଓ ଭକ୍ତଙ୍କ ସେବା ହିଁ ପୁରୁଷୋତ୍ତମ ପ୍ରଧାନଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ।
ମଣିଷ ଜୀବନରେ ଅନେକ ସମୟରେ କିଛି ଘଟଣା ଏପରି ଘଟିଥାଏ, ଯାହା ତାକୁ ଏକ ନୂଆ ପରିଚୟ ଦେବା ସହିତ ଜୀବନର ଗତିପଥକୁ ବଦଳାଇ ଦେଇଥାଏ । କେହି ନିଜ କର୍ମକୁ ନେଇ ପରିଚିତ ହୁଅନ୍ତି ତ ଆଉ କେହି ନିଜର ନିଷ୍ଠା, ତ୍ୟାଗ ଓ ନିରନ୍ତର ସେବା ମାଧ୍ୟମରେ ଅନ୍ୟମାନଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରନ୍ତି । ଏଭଳି ଜଣେ ନିଷ୍ଠାପର, କର୍ମଠ ଓ ଈଶ୍ୱରବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ପୁରୁଷୋତ୍ତମ ପ୍ରଧାନ । ଯାହାଙ୍କ ଜୀବନର ଦୀର୍ଘ ଯାତ୍ରା ଆଜି ପ୍ରଭୁ ନୃସିଂହନାଥଙ୍କ ସେବା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସୁଦୂର ବୌଦ୍ଧ ଜିଲ୍ଲାର ମଥୁରା ଗ୍ରାମରୁ ନୃସିଂହନାଥ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଯେତିକି ରୋଚକ, ସେତିକି ଭାବପ୍ରବଣ ମଧ୍ୟ । ଜୀବନର ସଂଘର୍ଷ, ପାରିବାରିକ ସୁଖଦୁଃଖ, ଅସୀମ ଧୈର୍ଯ୍ୟ ଓ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସର ଏକ ନିଆରା କାହାଣୀ ତାଙ୍କ ଜୀବନରେ ଲୁଚି ରହିଛି । ଜଣେ ସାମ୍ବାଦିକ ଭାବରେ ଏହି ନିଆରା ମଣିଷଙ୍କ ଜୀବନ କାହାଣୀ ଜାଣିବା ପାଇଁ ତାଙ୍କ ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା କରିବାର ସୁଯୋଗ ମିଳିଥିଲା । ଆଲୋଚନା ସମୟରେ ସେ ନିଜ ଜୀବନର ଗୋଟିଏ ପରେ ଗୋଟିଏ ଘଟଣା ବଖାଣୁଥିବା ବେଳେ ଅନେକ ସମୟରେ ମୁଁ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲି । ସାମ୍ବାଦିକତା ଜୀବନରେ ଅନେକ ବ୍ୟକ୍ତିଙ୍କ ସଫଳତା ଓ ସଂଘର୍ଷର କାହାଣୀ ଲେଖିଛି, କିନ୍ତୁ ପୁରୁଷୋତ୍ତମ ବାବୁଙ୍କ ଜୀବନକାହାଣୀ ମୋତେ ସବୁଠାରୁ ନିଆରା ଲାଗିଲା । ୧୯୯୦ ମସିହା ବୟସ ମାତ୍ର ୨୨ ବର୍ଷ ଚାକିରି ଅନ୍ୱେଷଣରେ ସେ ପହଞ୍ଚିଥିଲେ ନୃସିଂହନାଥ । ସେଠାରେ ପ୍ରଭୁଙ୍କ କୃପାରୁ ଜଣେ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଲା । ଏକ ଚାକିରି ମିଳିଯାଇଥିବାରୁ ସେ ଖୁବ୍ ଖୁସି ହୋଇଥିଲେ । ମନେ ମନେ ଭାବିଥିଲେ ଏହା ନିଶ୍ଚିତ ଭାବରେ ନୃସିଂହ ମହାପ୍ରଭୁଙ୍କ ଆଶୀର୍ବାଦ । ସେହିଦିନ ହିଁ ମନ ମଧ୍ୟରେ ଏକ ସଂକଳ୍ପ ନେଇଥିଲେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ପବିତ୍ର ମାଟିରେ ରହି ପ୍ରଭୁ ନୃସିଂହଙ୍କ ସେବା କରିବି । ସମୟ ଗଡ଼ିବା ସହିତ ତାଙ୍କର କର୍ମନିଷ୍ଠା ଓ ଦାୟିତ୍ୱବୋଧ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ୧୭ ମେ ୨୦୦୨ ମସିହାରେ ତାଙ୍କୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ମିଳିଥିଲା । ଜଣେ ସାଧାରଣ ପର୍ଯ୍ୟବେକ୍ଷକରୁ ମନ୍ଦିରର ସର୍ବପ୍ରମୁଖ ପ୍ରଶାସନିକ ଦାୟିତ୍ୱରେ ପହଞ୍ଚିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଥିଲା । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କ ଚରଣରେ ମୁଣ୍ଡିଆ ମାରିଥିଲେ । ସେହିଦିନଠାରୁ ମନ୍ଦିରର ଉନ୍ନତି, ପରିଚାଳନା ଓ ଭକ୍ତଙ୍କ ସୁବିଧା ତାଙ୍କ ଜୀବନର ପ୍ରମୁଖ ଲକ୍ଷ୍ୟ ପାଲଟିଗଲା । ଜୀବନର ସବୁ ସମୟ କେବଳ ସୁଖ ଦିଏ ନାହିଁ । ପୁରୁଷୋତ୍ତମ ବାବୁଙ୍କ ଜୀବନରେ ମଧ୍ୟ ଏପରି ଏକ ସମୟ ଆସିଥିଲା, ଯାହା ତାଙ୍କୁ ମାନସିକ ଭାବରେ ବେଶ୍ ଦୁଃଖିତ କରିଥିଲା ୧୯୯୩ ମସିହାରେ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ପ୍ରାୟ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରରେ ସନ୍ତାନ ସୁଖ ମିଳିନଥିଲା । ଅନେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ବିଭିନ୍ନ ଚିକିତ୍ସା କରାଇଥିଲେ । ଅନେକଙ୍କ ପରାମର୍ଶରେ ବିଭିନ୍ନ ଉପଚାର ମଧ୍ୟ କରିଥିଲେ । ତଥାପି ଆଶା ପୂରଣ ହେଉନଥିଲା । ଏହି ସମୟରେ ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଥିଲେ । ତାଙ୍କ କହିବା ଅନୁସାରେ, ସ୍ୱପ୍ନରେ ପ୍ରଭୁ ନୃସିଂହ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଅନ୍ୟ କେଉଁଠିକୁ ଯିବା ଦରକାର ନାହିଁ, ମୋ ଉପରେ ବିଶ୍ୱାସ ରଖ । ପରଦିନ ସକାଳୁ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ମାନସିକ କରିଥିଲେ । ପୁତ୍ର ସନ୍ତାନ ବଦଳରେ ତାଙ୍କୁ ଏକ କନ୍ୟା ସନ୍ତାନ ଦେବା ପାଇଁ ପ୍ରାର୍ଥନା କରିଥିଲେ । ବର୍ଷେ ପରେ ତାଙ୍କ ଘରକୁ ଏକ କନ୍ୟା ସନ୍ତାନର ଆଗମନ ହୋଇଥିଲା । ଏହା ତାଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସକୁ ଆହୁରି ଦୃଢ଼ କରିଥିଲା । ପରବର୍ତ୍ତୀ ସମୟରେ ଆଉ ଦୁଇଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ତିନି କନ୍ୟାରତ୍ନଙ୍କୁ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିଲେ । ଝିଅମାନଙ୍କୁ ଉଚ୍ଚଶିକ୍ଷିତା କରିବା ପାଇଁ ସେ ସଂକଳ୍ପ ନେଇଥିଲେ । ଆଜି ତାଙ୍କର ବଡ଼ ଝିଅ ଜଣେ ଡାକ୍ତର, ମଝିଆ ଝିଅ ଓକିଲାତି କରୁଥିବା ବେଳେ ସାନ ଝିଅ ମଧ୍ୟ ଆଇନ ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା, ୨୦୨୩ ଅଗଷ୍ଟ ମାସରେ ହଠାତ୍ ସାନ ଝିଅଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଦୁଃଖଦ ଘଟଣା ପୁରୁଷୋତ୍ତମ ବାବୁଙ୍କ ଜୀବନରେ ଏକ ଗଭୀର ଶୂନ୍ୟତା ସୃଷ୍ଟି କରିଥିଲା । ଆଲୋଚନା ସମୟରେ ଏହି ଘଟଣା ବଖାଣୁଥିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଉଥିଲା । ଏପରି ଦୁଃଖଦ ସମୟରେ ପତ୍ନୀ ଓ ଅନ୍ୟ ଦୁଇ ଝିଅ ତାଙ୍କୁ ସାହସ ଓ ସାନ୍ତନା ଦେଇଥିଲେ । ଧୀରେ ଧୀରେ ସେ ନିଜକୁ ସମ୍ଭାଳିଥିଲେ ଏବଂ ଜୀବନର ଏହି କଠିନ ସତ୍ୟକୁ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ଜୀବନର ଆଉ ଏକ ରୋମାଞ୍ଚକର ଘଟଣା ହେଉଛି ୧୯୯୯ ମସିହାର । ଏହି ଘଟଣା ବର୍ଣ୍ଣନା କରିବା ସମୟରେ ମଧ୍ୟ ତାଙ୍କ ମୁହଁରେ ସେହି ଦିନର ଭୟର ଛାପ ସ୍ପଷ୍ଟ ଦେଖାଯାଉଥିଲା । ସେଦିନ ସନ୍ଧ୍ୟାରେ ଘଡ଼ଘଡ଼ି, ବିଜୁଳି ଓ ପ୍ରବଳ ପବନ ସହିତ ମୂଷଳଧାରାରେ ବର୍ଷା ହେଉଥିଲା । ରାତି ପ୍ରାୟ ୯ଟା ବେଳକୁ ବର୍ଷା ଟିକେ କମିବା ପରେ ସେ ମନ୍ଦିରରୁ ବାହାରି ଜର୍ଜଗଡ଼ ଗ୍ରାମସ୍ଥିତ ନିଜ ବାସଭବନକୁ ଯାଉଥିଲେ । ହଠାତ୍ ରାସ୍ତାରେ ତାଙ୍କ ମୋଟରସାଇକେଲ ପଞ୍ଚର ହୋଇଯାଇଥିଲା । ଚାରିଆଡ଼େ ଘନ ଅନ୍ଧକାର । ସେ ବାଧ୍ୟ ହୋଇ ମୋଟରସାଇକେଲକୁ ଠେଲି ଠେଲି ଆଗକୁ ଯାଉଥିଲେ । ଏହି ସମୟରେ ଫରେଷ୍ଟ ଆଇବି ନିକଟରେ ରାସ୍ତାକଡ଼ରେ ଏକ ଚିତାବାଘକୁ ଠିଆ ହୋଇଥିବା ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ । ଚାରିଆଡ଼େ ନିର୍ଜନତା, ରାତିର ଅନ୍ଧକାର ଓ ସାମ୍ନାରେ ଚିତାବାଘ । ସେହି ମୁହୂର୍ତ୍ତରେ ତାଙ୍କ ମନରେ କେବଳ ପ୍ରଭୁ ନୃସିଂହଙ୍କ ନାମ ହିଁ ଆସିଥିଲା । ସେ ଆଖି ବନ୍ଦ କରି ପ୍ରଭୁଙ୍କୁ ସ୍ମରଣ କରିଥିଲେ । ତାଙ୍କ କହିବା ଅନୁଯାୟୀ ସେହି ସମୟରେ ହଠାତ୍ ବିଦ୍ୟୁତ୍ ଆଲୋକ ଆସିଥିଲା । ଆଖି ଖୋଲି ଦେଖିବା ବେଳକୁ ଚିତାବାଘଟି ସେଠାରୁ ଚାଲିଯାଇଥିଲା । ଏହି ଘଟଣାକୁ ସେ ଆଜି ମଧ୍ୟ ପ୍ରଭୁଙ୍କ ଅପାର କୃପା ଭାବରେ ମନେ କରନ୍ତି । କରୋନା ମହାମାରୀ ସମୟ ସମଗ୍ର ବିଶ୍ୱ ପାଇଁ ଏକ କଠିନ ପରୀକ୍ଷାର ସମୟ ଥିଲା । ମନ୍ଦିରକୁ ଭକ୍ତଙ୍କ ଆଗମନ ବନ୍ଦ ହୋଇଯାଇଥିଲା । ଦୀର୍ଘ ସମୟ ଧରି ମନ୍ଦିରର ଆୟ ପ୍ରାୟ ଶୂନ୍ୟ ହୋଇଯାଇଥିଲା । ଅନ୍ୟପଟେ ମନ୍ଦିରର ପ୍ରାୟ ୬୦ ଜଣ କର୍ମଚାରୀଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଥିଲା । ଏପରି କଠିନ ପରିସ୍ଥିତିରେ ମଧ୍ୟ ସେ ଧୈର୍ଯ୍ୟ ହରାଇ ନଥିଲେ । ତାଙ୍କ କହିବା ଅନୁସାରେ, ପ୍ରଭୁଙ୍କ କୃପାରୁ ଏହି ସମୟରେ ମନ୍ଦିର ପରିଚାଳନାରେ କୌଣସି ବଡ଼ ଅସୁବିଧା ହୋଇନଥିଲା । ସେ ସବୁବେଳେ ଗୋଟିଏ କଥା କହନ୍ତି ଯାହା ହେବ, ତାହା ପ୍ରଭୁଙ୍କ ଇଚ୍ଛା । ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେଉଥିବା ନୃସିଂହନାଥ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ । ବର୍ଷର ବିଭିନ୍ନ ସମୟରେ ଏଠାରେ ଅନେକ ପର୍ବପର୍ବାଣୀ ଓ ଯାତ୍ରା ଆୟୋଜିତ ହୋଇଥାଏ । ବୈଶାଖ ମେଳା ଓ ନୃସିଂହ ଚତୁର୍ଦ୍ଦଶୀ, ରଥଯାତ୍ରା, ବାହୁଡ଼ାଯାତ୍ରା, ଶ୍ରାବଣ ଅଭିଷେକ, ଗହ୍ମାପୂର୍ଣ୍ଣିମା, ରକ୍ଷାବନ୍ଧନ, ଅକ୍ଷୟ ତୃତୀୟା, ନୂଆଁଖାଇ, ଗଣେଶ ପୂଜା, ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର, ମାଘ ମେଳା, ଦୋଳପୂର୍ଣ୍ଣିମା, ଚୈତ୍ର ପୂଜା ଓ ମକର ସଂକ୍ରାନ୍ତି ଆଦି ପର୍ବ ଏଠାରେ ପାଳିତ ହୁଏ । ଶ୍ରାବଣ ମାସରେ ଲକ୍ଷାଧିକ କାଉଡ଼ିଆଙ୍କ ଆଗମନ ମଧ୍ୟ ଏହି ପୀଠର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ । ଏହି ସମସ୍ତ ଯାତ୍ରା ଓ ଉତ୍ସବକୁ ସୂଚାରୁରୂପେ ପରିଚାଳନା କରିବା ଏକ ବଡ଼ ଦାୟିତ୍ୱ । ଦୀର୍ଘ ୨୪ ବର୍ଷ ଧରି ଏହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇ ଆସୁଛନ୍ତି ପୁରୁଷୋତ୍ତମ ପ୍ରଧାନ । ବିଶେଷକରି ବୈଶାଖ ମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ସତ୍ତ୍ୱେ ଶୃଙ୍ଖଳିତ ପରିଚାଳନା ଉପରେ ସେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି । ତାଙ୍କ ମତରେ, ପ୍ରଭୁ ନୃସିଂହଙ୍କ ଆଶୀର୍ବାଦ ଯୋଗୁଁ ଏତେ ବଡ଼ ଜନସମାଗମ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ଅଘଟଣ ଘଟିନାହିଁ । ପୁରୁଷୋତ୍ତମ ବାବୁଙ୍କ ବ୍ୟକ୍ତିତ୍ୱର ଆଉ ଏକ ବିଶେଷ ଦିଗ ହେଉଛି ତାଙ୍କର ସରଳତା ଓ ମାନବିକତା । ତାଙ୍କ ପାଇଁ ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ସମାନ । ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ସାଧାରଣ ଜନତା ସମସ୍ତଙ୍କୁ ସେ ସମାନ ଗୁରୁତ୍ୱ ଦେଇଥାନ୍ତି । କେବଳ ମଣିଷ ନୁହେଁ, ମନ୍ଦିର ପରିସରରେ ରହୁଥିବା ମାଙ୍କଡ଼ମାନଙ୍କ ପ୍ରତି ମଧ୍ୟ ତାଙ୍କର ଅନାବିଳ ସ୍ନେହ ରହିଛି । କରୋନା ସମୟରେ ଯେତେବେଳେ ମନ୍ଦିର ପରିସର ଜନଶୂନ୍ୟ ହୋଇପଡ଼ିଥିଲା ଓ ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଥିଲା, ସେତେବେଳେ ପ୍ରତିଦିନ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଥିଲେ । ଏହା ତାଙ୍କର କେବଳ ଭକ୍ତି ନୁହେଁ, ବରଂ ସମସ୍ତ ଜୀବଙ୍କ ପ୍ରତି ଥିବା ମମତାର ଏକ ସୁନ୍ଦର ଉଦାହରଣ । ନୃସିଂହନାଥ ମନ୍ଦିରର ଉନ୍ନତି ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଧୀରେ ଧୀରେ ମନ୍ଦିରର ଅନେକ କ୍ଷେତ୍ରରେ ଉନ୍ନତି ହୋଇଛି । ତଥାପି ଆହୁରି ଅନେକ କାମ କରିବାର ଆବଶ୍ୟକତା ରହିଛି । ବିଶେଷକରି ପାଇକମାଲ ଛକ ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ସହିତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଗଲେ ଭକ୍ତ ଓ ପର୍ଯ୍ୟଟକମାନେ ବହୁତ ଉପକୃତ ହୋଇପାରିବେ । ତେବେ ତାଙ୍କ ମନରେ ରହିଛି ଆଉ ଏକ ବଡ଼ ସ୍ୱପ୍ନ । ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ନୃସିଂହନାଥଠାରେ ଏକ ଅତ୍ୟାଧୁନିକ ଭକ୍ତନିବାସ ନିର୍ମାଣ ହେଉ, ଯେଉଁଠାରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଉତ୍ତମ ରହଣି ଓ ଆବଶ୍ୟକ ସୁବିଧା ପାଇପାରିବେ । ଏହା ହେଉଛି ତାଙ୍କର ଅନ୍ତରର ଇଚ୍ଛା । ସାକ୍ଷାତ୍କାରର ଶେଷ ପର୍ଯ୍ୟାୟରେ ତାଙ୍କୁ ଯେତେବେଳେ ପଚରାଗଲା ଯେ, ଚାକିରି ଜୀବନ ସରିବା ପରେ ତାଙ୍କର ଆଗାମୀ ଯୋଜନା କ’ଣ? ସେତେବେଳେ ତାଙ୍କ ଉତ୍ତର ଥିଲା ଖୁବ୍ ସରଳ, କିନ୍ତୁ ଗଭୀର ଅର୍ଥପୂର୍ଣ୍ଣ । ସେ କହିଥିଲେ, “ମୋର ଚାକିରି କାଳ ଦିନେ ନା ଦିନେ ଶେଷ ହୋଇଯିବ । କିନ୍ତୁ ମୋର ସେବା ମନୋଭାବ କେବେ ଶେଷ ହେବ ନାହିଁ । ଯେତେଦିନ ବଞ୍ଚିଥିବି, ପ୍ରଭୁ ନୃସିଂହଙ୍କ ସେବା କରିବି । ମୋ ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି ଭଗବାନ ଓ ତାଙ୍କ ଭକ୍ତଙ୍କ ସେବା କରିବା । ଏହି ସୁଯୋଗ ମୋତେ ଜୀବନର ଶେଷ ପର୍ଯ୍ୟନ୍ତ ମିଳୁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।” ବାସ୍ତବରେ ଚାକିରି କେବଳ ଜୀବିକା ନିର୍ବାହର ଏକ ମାଧ୍ୟମ ହୋଇପାରେ, କିନ୍ତୁ ଯେତେବେଳେ କର୍ମ ନିଷ୍ଠା, ଭକ୍ତି ଓ ମାନବିକତାରେ ପରିଣତ ହୁଏ, ସେତେବେଳେ ତାହା ଏକ ସାଧନାର ରୂପ ନିଏ । ପୁରୁଷୋତ୍ତମ ପ୍ରଧାନଙ୍କ ଜୀବନ ଏହାର ଏକ ସୁନ୍ଦର ଉଦାହରଣ । ପଦପଦବୀ ଓ କ୍ଷମତା ଅପେକ୍ଷା ସେବାକୁ ଜୀବନର ବଡ଼ ପରିଚୟ କରିଥିବା ଏହି ମଣିଷଙ୍କ କାହାଣୀ ନିଶ୍ଚିତ ଭାବରେ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । କାରଣ ତାଙ୍କ ପାଇଁ ନୃସିଂହନାଥ କେବଳ ଏକ କର୍ମକ୍ଷେତ୍ର ନୁହେଁ, ଏହା ତାଙ୍କର ଆସ୍ଥା, ଆତ୍ମୀୟତା ଓ ସମଗ୍ର ଜୀବନର ଅବିଚ୍ଛେଦ୍ୟ ଅଂଶ । ସତରେ, କେତେକ ଲୋକ ଚାକିରି କରନ୍ତି, ଆଉ କେତେକ ଲୋକ ନିଜ ଚାକିରିକୁ ସେବା ଓ ସାଧନାରେ ପରିଣତ କରିଦିଅନ୍ତି । ପୁରୁଷୋତ୍ତମ ପ୍ରଧାନ ସେହି ଦ୍ୱିତୀୟ ଶ୍ରେଣୀର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ।
ଉପସ୍ଥାପନା – ସୁଶାନ୍ତ ପଣ୍ଡା