
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଜି. ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଓ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ବିଜେପିର ରାଜ୍ୟ ଉପସଭାପତି ଡ. ଜତୀନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଉପସ୍ଥିତ ରହିଥିଲେ । ଏଥିସହ ଜିଲ୍ଲା ବିଜେପିର ବିଭିନ୍ନ ପଦାଧିକାରୀ, ଦଳୀୟ ନେତା ଓ କର୍ମୀମାନେ ମଧ୍ୟ କର୍ମଶାଳାରେ ସାମିଲ ହୋଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା, ଗ୍ରାମୀଣ ଭିତ୍ତିଭୂମିର ବିକାଶ, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ଓ ଜନସାଧାରଣଙ୍କ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ଉପସ୍ଥିତ ଦଳୀୟ ପଦାଧିକାରୀ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଲୋକଙ୍କ ଅଭିଯୋଗ ଅତିଥିମାନଙ୍କ ଦୃଷ୍ଟିକୁ ଆଣିଥିଲେ । ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସମନ୍ୱୟ ରଖି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସକ୍ରିୟ କରିବା ସହ ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ପହଞ୍ଚାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ରହିଥିଲା । ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ କର୍ମଶାଳାଟି ସମାପନ ହୋଇଥିଲା ।