jayashree

ସ୍ଥଳଭାଗ ଛୁଇଁଲା ବାତ୍ୟା “ଅର୍ଣ୍ଣବ” : ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ । ପ୍ରବଳ ବର୍ଷା ଓ ଝଡ଼ ପବନରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ବାତ୍ୟା ପ୍ରଭାବରେ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୩ ହଜାରରୁ ଅଧିକ ଗଛ ଉପୁଡ଼ିବା ସହ ଭାଙ୍ଗିପଡ଼ିଛି । ଫଳରେ ଅନେକ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ, ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳର ବାପତଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ସମେତ ରାଜ୍ୟର ୬ଟି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ବନ ବିଭାଗ ଓ ପୋଲିସ ଟିମ୍‌ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଋଷିକୂଲ୍ୟା, ବାହୁଦା, ବଡ଼ନଦୀ ଓ ବାଘଲଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଓ ଆକସ୍ମିକ ବନ୍ୟାର ଆଶଙ୍କା ଦେଖାଦେଇଛି । ବର୍ଷା ଓ ପବନ ଯୋଗୁଁ ଚାଷଜମି, ଧାନ ଫସଲ, ବଗିଚା ଏବଂ ଉଦ୍ୟାନ କୃଷିରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି । ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଏବଂ ଜଳ ନିଷ୍କାସନ ଉପରେ ପ୍ରଶାସନ ନଜର ରଖିଛି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ଜରୁରୀକାଳୀନ ଚିକିତ୍ସାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୧,୨୬୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୪୮୨ ଜଣଙ୍କୁ ସୁରକ୍ଷିତ ଭାବେ ମା’ ଗୃହ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୨୮ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୨୮ଟି ଜରୁରୀକାଳୀନ ଚିକିତ୍ସା ଟିମ୍‌ ମୁତୟନ ରହିଛନ୍ତି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁସାରେ, ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି । ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.